ଶାସ୍ତ୍ରୀୟ କଥକ ନୃତ୍ୟ ସହିତ ହିନ୍ଦୁସ୍ତାନୀ ସଙ୍ଗୀତ ମୂର୍ଛନାରେ ଦର୍ଶକ ହେଲେ ବିମୋହିତ

Sep 6, 2023 - 23:23
 0  5
ଶାସ୍ତ୍ରୀୟ କଥକ ନୃତ୍ୟ ସହିତ ହିନ୍ଦୁସ୍ତାନୀ ସଙ୍ଗୀତ ମୂର୍ଛନାରେ ଦର୍ଶକ ହେଲେ ବିମୋହିତ
ଶାସ୍ତ୍ରୀୟ କଥକ ନୃତ୍ୟ ସହିତ ହିନ୍ଦୁସ୍ତାନୀ ସଙ୍ଗୀତ ମୂର୍ଛନାରେ ଦର୍ଶକ ହେଲେ ବିମୋହିତ
ଶାସ୍ତ୍ରୀୟ କଥକ ନୃତ୍ୟ ସହିତ ହିନ୍ଦୁସ୍ତାନୀ ସଙ୍ଗୀତ ମୂର୍ଛନାରେ ଦର୍ଶକ ହେଲେ ବିମୋହିତ

ଭୁବନେଶ୍ୱର (ତା ୬.୯.୨୦୨୩) : ସୃଜନ ଅନୁଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ କଥକ ନୃତ୍ୟ ସାଙ୍ଗକୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରବିନ୍ଦ୍ର ମଣ୍ଡପରେ ଦେଖିବାକୁ ମିଳିଥିଲା । 

ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର; ପୂର୍ବତଟ ରେଲ୍‍ୱେ ମହା ପରିଚାଳକ ମନୋଜ ଶର୍ମା; ବିଶିଷ୍ଟ ଗାୟକ ତଥା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ; ପାରାଦୀପ ଫସଫେଟ୍ ଲିମିଟେଡ୍‌ର କର୍ପୋରେଟ୍ ଆଫେୟାର୍ସ ମୁଖ୍ୟ ଶ୍ରୀ ସୁଧୀ ରଂଜନ ମିଶ୍ର ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଦ୍ୱିତୀୟ ସଂଧ୍ୟାର ପ୍ରଥମ ଉପସ୍ଥାପନରେ ଥିଲା କଥକ ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ବିଶିଷ୍ଟ କଥକ ନୃତ୍ୟାଙ୍ଗନା ଶିଲା ମେହେଟ୍ଟା । ସେ ପ୍ରଥମେ ଶିବ ସ୍ତୁତି ପରେ ପରେ ପରିବେଷଣ କରିଥିଲେ ଭବ ତିହାଇ ଯାହା ତିନ୍‍ ତାଲ ଉପରେ ନିବଦ୍ଧ ଥିଲା ଏବଂ ଶେଷରେ ଶ୍ରୀକୃଷ୍ଣ ଓ ଅଜୁର୍ନଙ୍କ କୋଥପକଥନ ଗୀତା ଆଶର ପରିବେଷଣ କରିଥିଲେ ।

ଶରୀରର ପ୍ରତ୍ୟେକ ଗତିବିଧି, ଅଙ୍ଗଭଙ୍ଗୀ, ଭାବପ୍ରବଣ ପଦକ୍ଷେପ, ତାଳର ଲହରୀ ଏବଂ ସଙ୍ଗୀତର ସ୍ୱର ସହିତ ପାଦଚାଳନା ଯାହା ତାଙ୍କର ନୃତ୍ୟକୁ ଅଧିକ ଚମତ୍କାର ଏବଂ ଆକର୍ଷଣୀୟ କରିଥିଲା । ତାଙ୍କୁ ତବଲାରେ ବିବେକ ମିଶ୍ର ଓ ଅମିତାଂଶୁ କୁମାର ବ୍ରହ୍ମା, ସରୋଦରେ ସୁନାଦୋ ମୁଖାର୍ଜୀ ଏବଂ କଣ୍ଠରେ ଜୟଦ୍ୱୀପ ସିହ୍ନା ସହଯୋଗ କରିଥିଲେ ।  

ଦ୍ୱିତୀୟ ଉପସ୍ଥାପନରେ ଥିଲା ଜୟତୀର୍ଥ ମେଭୁଣ୍ଡୀଙ୍କ ଦ୍ୱାରା ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ପରିବେଷଣ । ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ସେ ଶ୍ରୀକୃଷ୍ଣଙ୍କ ଉପରେ ବିଭିନ୍ନ ଭଜନ ପରିବେଷଣ କରିଥିଲେ ।

ନିଖୁଣ ଓ ସୁନ୍ଦର ରାଗ ବିସ୍ତାର, ତାନ ଓ ସରଗମ୍‍ର ବିଭିନ୍ନ କ୍ରିୟାତ୍ମକ ପରିବେଷଣ, ସୁଲଳିତ କଣ୍ଠରେ ବିଭିନ୍ନ କଳାକୌଶଳ ପ୍ରୟୋଗ ଇତ୍ୟାଦି ଦ୍ୱାରା ଉପସ୍ଥିତ ବିଦଗ୍ଧ ଶ୍ରୋତାମାନଙ୍କୁ ସେ ମନ୍ତ୍ରମୁଗ୍ଧ କରିଥିଲେ । ଜୟତୀର୍ଥ ମେଭୁଣ୍ଡୀଙ୍କୁ ସହଯୋଗ କରିଥିଲେ ହାରମୋନିୟମ୍‍ରେ ଅନୁସୁଲା ମୋରେ ଏବଂ ତବଲାରେ ନରହରି ଭି. ।

ଏହି କାର୍ଯ୍ୟକ୍ରମଟି ସୃଜନ ଅନୁଷ୍ଠାନର ଫେସବୁକ୍ ପେଜ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ କରାଯାଉଅଛି । ଏହି ଉତ୍ସବର ପରିକଳ୍ପନା ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେ ଏହାକୁ କାର୍ଯ୍ୟକାରୀ ଶ୍ରୀ ଦେବୀପ୍ରସାଦ ମିଶ୍ର କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ ।

What's Your Reaction?

like

dislike

love

funny

angry

sad

wow