ଶତାୟୁ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କଲେ ମେୟର, ପ୍ରତ୍ୟେକ ଶିକ୍ଷକ ‘ଗୁରୁଣାଂ ଗୁରୁଙ୍କ’ର ପଦାଙ୍କ ଅନୁସରଣ କରିବାକୁ ଦେଲେ ଆହ୍ୱାନ

Sep 5, 2023 - 19:06
 0  10
ଶତାୟୁ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କଲେ ମେୟର, ପ୍ରତ୍ୟେକ ଶିକ୍ଷକ ‘ଗୁରୁଣାଂ ଗୁରୁଙ୍କ’ର ପଦାଙ୍କ ଅନୁସରଣ କରିବାକୁ ଦେଲେ ଆହ୍ୱାନ

ଭୁବନେଶ୍ୱର; ତା ୫ା୯ା୨୦୨୩:ଗୁରୁ ଦିବସ ଅବସରରେ ଶତାୟୁ ଶିକ୍ଷକ ତଥା ଇଂରାଜୀ ବ୍ୟାକରଣର ଅନ୍ୟତମ ପ୍ରଥିତ ଯଶା ଏବଂ ବାଣୀବିହାର ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ଦାଶଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଆଶୀର୍ବାଦ କାମନା କରିଛନ୍ତି ମେୟର ସୁଲୋଚନା ଦାସ।

ଆଜି ଅପରାହ୍ନ ସାଢେ ୩ଟା ବେଳେ ଭୁବନେଶ୍ୱର ବୁଦ୍ଧେଶରୀ କଲୋନୀସ୍ଥିତ ତାଙ୍କ ବାସଭବନକୁ ଯାଇ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧିତ କରିବା ଅବସରରେ ମେୟର କହିଥିଲେ ଯେ, ଆଜି ଗୁରୁ ଦିବସର ଏପରି ଏକ ପବିତ୍ର ମୁହୁର୍ତରେ ଭାସ୍କର ଦାଶଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରି, ଆମେ ନିଜେ ଧନ୍ୟ ହେବା ସହ ଗର୍ବିତ ମନେ କରୁଛୁ । ଏହି ଅବସରରେ ସ୍ଥାନୀୟ କର୍ପୋରେଟର ଆଶୀଷ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ।

ଭାସ୍କର ଚନ୍ଦ୍ର ଦାଶ ୧୯୪୭ ମସିହାରେ ସେତେବେଳର ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ଅନର୍ସ ଡିଷ୍ଟିଙ୍କସନ ସହିତ ପ୍ରଥମ ଶ୍ରେଣୀରେ ବିଏ ପାସ୍ କରିବା ପରେ କଟକ ବହୁ ଗ୍ରାମରୁ ସେ ଶିକ୍ଷତା ଜୀବନ ଆରମ୍ଭ କରିଥିଲେ। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପାଇଁ ଅନେକ ଇଂରାଜୀ ବ୍ୟାକରଣ ଏବଂ ଟ୍ରାନ୍ସଲେସନ ପୁସ୍ତକ ରଚନା କରିଥିବା ଶ୍ରୀ ଦାଶ ଶିକ୍ଷକମାନଙ୍କୁ ଇଂରାଜୀ ପ୍ରଶିକ୍ଷଣ ଦେବା ପାଇଁ ଭାରତ ସରକାର ୧୯୬୦-୬୨ ମସିହା ପର୍ଯ୍ୟନ୍ତ, ୨ ବର୍ଷ ପାଇଁ ସୁଦୁର ଇରାକ୍ ପଠାଇଥିଲେ। 

ସେଠାରୁ ଫେରିବା ପରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ନିର୍ଦେଶ କ୍ରମେ ଅଗରପଡା ହାଇସ୍କୁଲରେ ଯୋଗଦେଇଥିଲେ। ଏହାପରେ ସେ ବାଣୀ ବିହାର ହାଇସ୍କୁଲରେ ଦୀର୍ଘ ଦିନ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟକରି ବିଦ୍ୟାଳୟର ନାମକୁ ସମଗ୍ର ରାଜ୍ୟରେ ଶୀର୍ଷରେ ରଖିଥିଲେ । ୧୯୭୭ ମସିହାରେ ତାଙ୍କୁ ମିଳିଥିଲା ରାଷ୍ଟ୍ରପତି ପୁରସ୍କାର। ପରେ ଅର୍ଥାତ ୧୯୮୬ ମସିହା ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକ ଦାୟୀତ୍ୱ ତୁଲାଇ ସେହିଠାରୁ ଅବସର ଗ୍ରହଣ କରିଥିଲେ ।

କେବଳ ଶିକ୍ଷକତା ନୁହେଁ, ସେ ଏକାଧାରରେ ଜଣେ ସମାଜ ସେବୀ ଥିଲେ। ଦୈନକ ଖବର କାଗଜ ସମାଜ ସାମାଜିକ ସେବା ସଂଗଠନ ସହ ଜଡିତ ଶ୍ରୀ ଦାଶ ବହୁ ସାମାଜିକ ସଂଗଠନ ସହ ଜଡିତ ଅଛନ୍ତି । କଟକ ଜିଲ୍ଲା ମାଳ ବିହାରପୁରରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଦାଶ, ବାଙ୍କି ହାଇସ୍କୁଲରୁ ମାଟ୍ରିକ ପାଶ୍ କରିବା ପରେ ରେଭନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ଶ୍ରୀ ଦାଶ ପିଲାବେଳରୁ ଜଣେ ମେଧାବୀ ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ବେଶ ଜଣାଶୁଣା । ତାଙ୍କର ଅନେକ ଛାତ୍ରଛାତ୍ରୀ କେବଳ ଓଡିଶା କିମ୍ବା ଭାରତ ନୁହେଁ, ବିଦେଶରେ ମଧ୍ୟ ଉଚ୍ଚ ପଦ ପଦବୀରେ ପ୍ରତିଷ୍ଠା ଲାଭ କରିଛନ୍ତି ।

ଆଜି ସକାଳୁ ୧୯୫୫ ମସିହା ବ୍ୟାଚ୍‌ର ଛାତ୍ରଛାତ୍ରୀମାନେ ଗୁରୁପୂଜା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ ଯାପନ କାମନା କରିଛନ୍ତି। ଆଜି ମେୟର ଗୁରୁଙ୍କୁ ସମ୍ବର୍ଦ୍ଧିତ କରିବା ସମୟରେ ଶତାୟୁ ଶିକ୍ଷକଙ୍କୁ ଧର୍ମପତ୍ନୀ  ପାର୍ବତୀ ଦାଶଙ୍କ ଆଖିରୁ ଭାସିଆସିଥିଲା ଆନନ୍ଦାଶ୍ରୁ। ଏବେ ସେ ଭୁବନେଶ୍ୱର ବୁଦ୍ଧେଶ୍ୱରୀ କଲୋନୀସ୍ଥିତ ନିଜ ବାସଭବନରେ ତିନି ଝିଅ ଓ ଜ୍ୱାଇଁଙ୍କ ହେପାଜତରେ ଅଛନ୍ତି। ସମ୍ବର୍ଦ୍ଧିତ କରିବା ଅବସରରେ ପ୍ରତ୍ୟେକ ଶିକ୍ଷକ, ଭାସ୍କର ଦାଶଙ୍କ ଭଳି ‘ଗୁରୁଣାଂ ଗୁରୁଙ୍କ’ର ପଦାଙ୍କ ଅନୁସରଣ କରି ପାରିଲେ ଛାତ୍ରଛାତ୍ରୀମାନେ ନିଜର ଉତ୍କର୍ଷ ପ୍ରତିପାଦନ କରିପାରିବେ ବୋଲି ମେୟର କହିଛନ୍ତି । 

What's Your Reaction?

like

dislike

love

funny

angry

sad

wow