ସୋମବାର, ନଭେମ୍ବର 2, 2026 | Loading Time...
ସୋମବାର, ନଭେମ୍ବର 2, 2026 | Loading Time...

ଝରକା ଗ୍ରୀଲ୍ କାଟି ନୃଶଂସ ହତ୍ୟା: ମାଲକାନଗିରିରେ ଦମ୍ପତିଙ୍କୁ ହାଣି ହତ୍ୟା, ପୁଅ ଗୁରୁତର; ପଡ଼ୋଶୀ ଗିରଫ

ପ୍ରକାଶିତ: November 2, 2026, 4:48 PM | ଓଡିଶା ଜିଲ୍ଲା ସମାଚାର

ଝରକା ଗ୍ରୀଲ୍ କାଟି ନୃଶଂସ ହତ୍ୟାକାଣ୍ଡ

ମାଲକାନଗିରିରେ ଦମ୍ପତିଙ୍କୁ ହାଣି ହତ୍ୟା, ପୁଅ ଗୁରୁତର; ପଡ଼ୋଶୀ ଗିରଫ

ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ ଏମଭି-୩୬ (MV-36) ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡ଼ୋଶୀ ଘରେ ପଶି ଶୋଇଥିବା ଅବସ୍ଥାରେ ଦମ୍ପତିଙ୍କୁ ଧାରୁଆ ଅସ୍ତ୍ରରେ ନୃଶଂସ ଭାବେ ହାଣି ହତ୍ୟା କରିଛି। ଏହି ଆକ୍ରମଣରେ ସେମାନଙ୍କ ୧୩ ବର୍ଷର ନାବାଳକ ପୁଅ ମଧ୍ୟ ଗୁରୁତର ଆହତ ହୋଇଛି। ମୃତକ ହେଲେ ରବୀନ୍ଦ୍ର ନାଥ ସରକାର (୪୦-୪୫) ଓ ତାଙ୍କ ପତ୍ନୀ ରେବା ସରକାର (୩୫-୩୮)। ପୋଲିସ ଏହି ମାମଲାରେ ଅଭିଯୁକ୍ତ ପଡ଼ୋଶୀ ବିଶ୍ଵାଙ୍କର ମଣ୍ଡଳ (୩୫)କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଗତ ଶନିବାର ବିଳମ୍ବିତ ରାତି (ପ୍ରାୟ ୨ଟାରୁ ୩ଟା) ମଧ୍ୟରେ ପରିବାର ଲୋକେ ଶୋଇଥିବା ସମୟରେ ଅଭିଯୁକ୍ତ ବିଶ୍ଵାଙ୍କର ଘରର ଝରକା ଗ୍ରୀଲ୍ କାଟି ଭିତରକୁ ପ୍ରବେଶ କରିଥିଲା। ସେ ପ୍ରଥମେ ରବୀନ୍ଦ୍ରଙ୍କୁ ଆକ୍ରମଣ କରିଥିବା ବେଳେ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ପତ୍ନୀ ରେବା ମଧ୍ୟ ଶିକାର ହୋଇଥିଲେ। ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ବାପା-ମା'ଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ସେମାନଙ୍କ ପୁଅ ସନ୍ଦୀପ ମଧ୍ୟ ଗୁରୁତର ଭାବେ ଆହତ ହୋଇଛି। ତାକୁ ତୁରନ୍ତ ଉଦ୍ଧାର କରାଯାଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କ ଅବସ୍ଥା ଏବେ ମଧ୍ୟ ସଙ୍କଟାପନ୍ନ ରହିଛି।

ଏହି ବର୍ବରୋଚିତ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତ ଗାଁ ଛାଡ଼ି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ତାକୁ କାବୁ କରି ପୋଲିସ ଜିମା ଦେଇଥିଲେ। ଏହାପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତ ବିଶ୍ଵାଙ୍କରଙ୍କ ଘରେ ବ୍ୟାପକ ଭଙ୍ଗାରୁଜା କରିବା ସହ ତାଙ୍କ ଅଟୋରିକ୍ସାରେ ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ ଓରକେଲ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ପାଇଁ ଓରକେଲ ପୋଲିସ ସମେତ କୋରାପୁଟରୁ ଏକ ସାଇଣ୍ଟିଫିକ୍ (ଫୋରେନସିକ୍) ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ପଛରେ ଦୀର୍ଘ ଦିନର ବ୍ୟକ୍ତିଗତ ଶତ୍ରୁତା କିମ୍ବା ପାରିବାରିକ ବିବାଦ ଥିବା ସନ୍ଦେହ କରାଯାଉଛି। ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି ଏବଂ ଖୁବ୍‌ଶୀଘ୍ର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।