ବନ୍ଦ ହେଲା କଳିଙ୍ଗା ଘାଟି: ୨୧ ଯାଏ ଭିତରକନିକା ବନ୍ଦ
ବନ୍ଦ ହେଲା କଳିଙ୍ଗା ଘାଟି: ୨୧ ଯାଏ ଭିତରକନିକା ବନ୍ଦ
ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’କୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରଶାସନିକ ତତ୍ପରତା ବଢ଼ିଛି। ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଧନଜୀବନର ସୁରକ୍ଷା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକାଧିକ ଆଗୁଆ ପଦକ୍ଷେପ ନିଆଯାଇଛି। ସୁରକ୍ଷା ଦୃଷ୍ଟିରୁ କଳିଙ୍ଗା ଓ ଦାରିଙ୍ଗବାଡ଼ି ଘାଟି ରାସ୍ତାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି।
ଗାଜଲବାଡ଼ି ନିକଟରେ ବ୍ୟାରିକେଡ୍ ନିର୍ମାଣ କରି ଦାରିଙ୍ଗବାଡ଼ି ଘାଟି ରାସ୍ତାରେ ଯାତାୟାତ ବନ୍ଦ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଘାଟି ଅଞ୍ଚଳରେ ଭୂସ୍ଖଳନ ଓ ଗଛ ଉପୁଡ଼ିବାର ଆଶଙ୍କା ଥିବାରୁ ପ୍ରଶାସନ ଏହି ସତର୍କତାମୂଳକ ପଦକ୍ଷେପ ନେଇଛି।
ବାତ୍ୟା ମୁକାବିଲା ପାଇଁ NDRF, ODRAF ଓ ଅଗ୍ନିଶମ ବିଭାଗର ଟିମ୍କୁ ପ୍ରସ୍ତୁତ ରଖାଯାଇଛି। ଜିଲ୍ଲାର ୧୨ଟି ବ୍ଲକ୍ରେ ଅଗ୍ନିଶମ ବିଭାଗର ଟିମ୍ ସଜାଗ ରହିଛନ୍ତି। ବିଭିନ୍ନ ରିଲିଫ୍ କେନ୍ଦ୍ରରେ ଶୁଖିଲା ଖାଦ୍ୟ ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି। ଯୋଗାଯୋଗ ବିଚ୍ଛିନ୍ନ ହେଲେ ଆବଶ୍ୟକ ସ୍ଥଳେ ହେଲିକପ୍ଟର ଯୋଗେ ଖାଦ୍ୟ ଓ ରିଲିଫ୍ ସାମଗ୍ରୀ ପହଞ୍ଚାଇବାକୁ ମଧ୍ୟ ଯୋଜନା ହୋଇଛି।
ଅନ୍ୟପକ୍ଷରେ, ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଆଜିଠାରୁ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଛି। ଏଥିସହ ପର୍ଯ୍ୟଟକଙ୍କ ପାଇଁ ରାତ୍ରିଯାପନ ବୁକିଂ ମଧ୍ୟ ବାତିଲ କରିଛନ୍ତି ରାଜନଗର ଡିଏଫ୍ଓ।
ସୂଚନା ଅନୁଯାୟୀ, ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ ସମୟରେ ହୋଇଥିବା କ୍ଷୟକ୍ଷତିର ଅଭିଜ୍ଞତାକୁ ଆଧାର କରି ଏଥର ଧନଜୀବନ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇଛି ପ୍ରଶାସନ। କନ୍ଧମାଳ ଜିଲ୍ଲାରେ ୮୧ଟି ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ ହୋଇଛି। ବିଶେଷକରି ରାଇକିଆ, ଦାରିଙ୍ଗବାଡ଼ି ଓ ଚକାପାଦ ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ବିପଦସଙ୍କୁଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଥିବାବେଳେ ୧୦୫ ଜଣ ଗର୍ଭବତୀ ମହିଳାଙ୍କୁ ମା' ଗୃହରେ ରଖାଯାଇଛି।
ବାତ୍ୟା ପ୍ରସ୍ତୁତିର ସମୀକ୍ଷା ପାଇଁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ବିଜୟ ଅମୃତ କୁଲାଙ୍ଗେ ଓ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ରାଇକିଆ, ଦାରିଙ୍ଗବାଡ଼ି ସମେତ ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ଚକାପାଦ ଅଞ୍ଚଳ ପରିଦର୍ଶନ କରି ସୁରକ୍ଷା ଓ ପ୍ରସ୍ତୁତି ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।