ପୁଣି ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆସନ୍ତା କାଲିଠାରୁ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ବଢ଼ିବ। କେତେକ ଜିଲ୍ଲାରେ ବନ୍ୟା ପରି ସ୍ଥିତି ହେବାର ଆଶଙ୍କା ରହିଛି। ଏହା ପୂର୍ବରୁ ଆଜି ସକାଳୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଆଗାମୀ ୪୮ ଘଣ୍ଟାରେ ବର୍ଷାର ପରିମାଣ ବଢ଼ିବ। ପାଣିପାଗ ବିଭାଗ ଆଜି ୨୪ଟି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, ସୋମବାର ସୁଦ୍ଧା ଉତ୍ତର-ପଶ୍ଚିମ ଓ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଏହା ସକ୍ରିୟ ହେବ। ଆସନ୍ତା କାଲିଠାରୁ କୋରାପୁଟ ଓ ମାଲକାନଗିରି ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏହି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଅଗଷ୍ଟ ୧୯ରେ କୋରାପୁଟ ଓ କଳାହାଣ୍ଡିରେ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି ରହିଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଅଗଷ୍ଟ ୧୮ରୁ ୨୦ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।