ଦୋଛକିରେ ଦଳଡିଆଁ ନେତା: ଶଙ୍ଖ ଶିବିରରେ ଅଣନିଃଶ୍ଵାସୀ

ଗତ ସାଧାରଣ ନିର୍ବାଚନ ପୂର୍ବରୁ କିଛି ସ୍ୱପ୍ନ ନେଇ ବିଜେଡିରେ ମିଶିଥିବା କଂଗ୍ରେସ ନେତାମାନେ ଏବେ ଶଙ୍ଖ ଶିବିରରେ ଅଣନିଃଶ୍ଵାସୀ ହୋଇଗଲେଣି। ସେମାନଙ୍କୁ ଏବେ କଂଗ୍ରେସରୁ ଅଫର୍ ଆସୁଥିବା ବେଳେ ଅସନ୍ତୁଷ୍ଟମାନେ କେବଳ ସମୟ ଓ ସୁଯୋଗକୁ ଅପେକ୍ଷା କରିଛନ୍ତି। ବିଜେଡିରେ ଏମିତି ମାଳମାଳ ଅସନ୍ତୁଷ୍ଟ ଥିବା ବେଳେ ସୁରେନ୍ଦ୍ର ସିଂ ଭୋଇ ଓ ଚିରଞ୍ଜିବୀ ବିଶ୍ବାଳକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଉପକୂଳ ଓଡ଼ିଶାର ଟାଣୁଆ ନେତା ଚିରଞ୍ଜିବୀ କଂଗ୍ରେସ ସହ ଦୀର୍ଘବର୍ଷର ସମ୍ପର୍କକୁ ଛିନ୍ନ କରି ବଡ଼ ଆଶା ନେଇ ବିଜେଡି ଶିବିରକୁ ଯାଇଥିଲେ। ବିଜେଡି ତାଙ୍କ ହାତରେ ଶଙ୍ଖ ଧରାଇଲା, ହେଲେ ୨୦୨୪ ନିର୍ବାଚନରେ ଲଢ଼ିବାର ସୁଯୋଗ ଦେଲାନି। ତା ପ୍ରତିବଦଳରେ ବଡ଼ ପଦବୀରେ ଥଇଥାନ ପାଇଁ ମିଳିଥିଲା ପ୍ରତିଶ୍ରୁତି ହେଲେ ବିଜେଡି ଶାସନ କ୍ଷମତାରୁ ଯିବା ପରେ ଚିରଞ୍ଜିବୀଙ୍କ ସବୁ ଆଶା ମଉଳି ଯାଇଥିଲା। ପଦବୀ ତ ମିଳିଲାନି, ଦଳରେ କୋଣଠେସା ବି ହୋଇଗଲେ ଚିରଞ୍ଜିବ। କିନ୍ତୁ ଗତ କିଛି ଦିନ ଭିତରେ ଭାଇ ରଞ୍ଜୀବ ବିଶ୍ବାଳ ପୁଣିଥରେ କଂଗ୍ରେସ ଶିବିରରେ ସକ୍ରିୟ ହୋଇଛନ୍ତି। ଜଗତସିଂହପୁର ରାଜନୀତିରେ ଚର୍ଚ୍ଚା ହେଉଛି, ଖୁବଶୀଘ୍ର ଚିରଞ୍ଜିବୀ ପୁରୁଣା ଘରକୁ ଫେରିପାରନ୍ତି। ସେହିଭଳି ପଶ୍ଚିମ ଓଡ଼ିଶାର ହେଭିୱେଟ ଚେହେରା ସୁରେନ୍ଦ୍ର ସିଂ ଭୋଇ ଚିରଞ୍ଜିବୀଙ୍କ ଭଳି ସୁରେନ୍ଦ୍ର ମଧ୍ୟ ବଡ଼ ସ୍ୱପ୍ନ ନେଇ ବିଜେଡି କ୍ୟାମ୍ପକୁ ଆସିଥିଲେ। ସୁରେନ୍ଦ୍ର ଟିଟିଲାଗଡ଼ରୁ ଲଢିବାକୁ ଚାହୁଁଥିଲେ ମଧ୍ୟ ବଲାଙ୍ଗୀରରେ ରାଜପରିବାର ପତିଆରା କମାଇବାକୁ ତାଙ୍କୁ ବିଜେଡି ଲୋକସଭା ଆସନରେ ଲଢ଼ାଗଲା। ବିଜେଡିର ଏହି ଏକ୍ସପେରିମେଣ୍ଟ୍ କିନ୍ତୁ ଫେଲ ମାରିଥିଲା। ନିର୍ବାଚନ ପରାଜୟ ପରଠାରୁ ସୁରେନ୍ଦ୍ର ଆଉ ଶଙ୍ଖ ଶିବିରରେ ସକ୍ରିୟ ନାହାନ୍ତି। ଆଉ ଚର୍ଚ୍ଚା ହେଉଛି କଂଗ୍ରେସକୁ ଫେରି ପାରନ୍ତି ସୁରେନ୍ଦ୍ର।
ଚିରଞ୍ଜିବୀ ଓ ସୁରେନ୍ଦ୍ରଙ୍କ ଭଳି କଂଗ୍ରେସରୁ ଆସିଥିବା ଆଉ କିଛି ନେତା ମଧ୍ୟ ବିଜେଡିରେ ନିଜର ଅସ୍ଥିତ୍ଵ ଖୋଜୁଛନ୍ତି। 2024 ନିର୍ବାଚନ ଲଢ଼ିବାକୁ ସୁଯୋଗ ପାଉ ନଥିବା ଭୂପିନ୍ଦର ଏବେ ବିଜେଡି ବିରୋଧରେ ଖିଲୁମଖୁଲା ବିଦ୍ରୋହ କରିବାର ସଂକେତ ଦେଲେଣି। ଭଲ ଖେଳାଳିଙ୍କୁ ସବୁ ଦଳ ଖୋଜେ ଏବଂ ଭକ୍ତ ଦାସଙ୍କ ସହ ବନ୍ଧୁତା ଥିବା କହି ଚର୍ଚ୍ଚାକୁ ବଳ ଦେଇଛନ୍ତି ଭୂପିନ୍ଦର। 2024 ନିର୍ବାଚନ ପୂର୍ବରୁ ସରକାରୀ ଦଳର ମୋହ ବିରୋଧୀ କଂଗ୍ରେସ କ୍ୟାମ୍ପର ନେତାଙ୍କୁ ବିଜେଡିମୁହାଁ କରିଥିଲା। ହେଲେ ଏବେ ଦୋଛକିରେ ଦଳଡିଆଁ ନେତା। ତେବେ ଦେଖିବାକୁ ବାକି ରହିଲା ବିଜେଡିରେ ରହିବେ ନା କଂଗ୍ରେସକୁ ଫେରିବେ।