ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଅମରେଶ ଜେନା ଗିରଫ: ବିଜେଡିରୁ ନିଲମ୍ବନ

ପ୍ରକାଶିତ: July 27, 2025, 11:31 PM | ରାଜନୀତି
ଅମରେଶ ଜେନା ଗିରଫ: ବିଜେଡିରୁ ନିଲମ୍ବନ


ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ଅମରେଶ ଜେନା ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରୁ ଗିରଫ ହୋଇଛନ୍ତି। ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ଏବଂ ଦୁଷ୍କର୍ମ କରିବା ଅଭିଯୋଗରେ କମିଶନରେଟ ପୁଲିସ ପୂର୍ବରୁ ୫ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କର୍ପୋରେଟର ଅମରେଶ ଜେନା ଫେରାର ଥିଲେ। ସେ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର ଥାନା ପୁଲିସ ଏନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ରବିବାର ପୂର୍ବାହ୍ନ ୧୧ଟା ସମୟରେ ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ କଳାକାଦ ଗାଁରୁ ସମ୍ପୃକ୍ତ କର୍ପୋରେଟରଙ୍କୁ ଗିରଫ କରାଯାଇଛି। କମିଶନରେଟ ପୁଲିସଙ୍କ ସମେତ ବରହମପୁର ଥାନା ଆଇଆଇସି ପ୍ରେମଦା ନାୟକ ସାଦା ପୋଷାକରେ ଆସି କଳାକାଦ ଗାଁର ନିରୋଦ ମହାନ୍ତିଙ୍କ ଘରୁ ଫେରାର ଥିବା ଅମରେଶଙ୍କୁ ଗିରଫ କରିଛନ୍ତି। ଅଧିକ ତଦନ୍ତ ତଥା ଜେରା ପାଇଁ ତାଙ୍କୁ ବରହମପୁର ଥାନାକୁ ନିଆଯାଇଛି। ଅମରେଶ ଗିରଫ ହେବା ପରେ ବିଜୁ ଜନତା ଦଳ ପକ୍ଷରୁ ଦଳୀୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏ ନେଇ ଦଳ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।