ବୁଧବାର, ଅଗଷ୍ଟ 26, 2026 | Loading Time...
ବୁଧବାର, ଅଗଷ୍ଟ 26, 2026 | Loading Time...

ଆମେରିକାରେ ଚାକିରି ସ୍ୱପ୍ନ ଦେଖୁଥିବା ଭାରତୀୟଙ୍କୁ ଲାଗିପାରେ ଆଉ ଏକ ବଡ଼ ଝଟକା

ପ୍ରକାଶିତ: August 25, 2026, 11:33 AM | ଅନ୍ତର୍ଜାତୀୟ
ଆମେରିକାରେ ଚାକିରି ସ୍ୱପ୍ନ ଦେଖୁଥିବା ଭାରତୀୟଙ୍କୁ ଲାଗିପାରେ ଆଉ ଏକ ବଡ଼ ଝଟକା

ଆମେରିକାରେ ଚାକିରି ସ୍ୱପ୍ନ ଦେଖୁଥିବା ଭାରତୀୟଙ୍କୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଟ୍ରମ୍ପ ପ୍ରଶାସନ ନୂଆ H-1B ଭିସା ପାଇଁ ୧ ଲକ୍ଷ ଡଲାରରୁ ଅଧିକ, ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୯୯ ଲକ୍ଷ ଟଙ୍କା ଫି ଲାଗୁ କରିବାକୁ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଆମେରିକାରେ ଚାକିରି କରିବାକୁ ଇଚ୍ଛୁକ ଭାରତୀୟ ପେସାଦାରମାନଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇପାରେ।


ଟ୍ରମ୍ପ ପ୍ରଶାସନ ନୂଆ H-1B ଭିସା ପାଇଁ ୧,୦୩,୨୬୫ ଡଲାର, ଅର୍ଥାତ୍ ପ୍ରାୟ ୯୮.୮୬ ଲକ୍ଷ ଟଙ୍କା ଫି ସ୍ଥାୟୀ କରିବାକୁ ପ୍ରସ୍ତାବ ଦେଇଛି। ଏହି ନିୟମ ଲାଗୁ ହେଲେ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେଉଥିବା ଆମେରିକୀୟ କମ୍ପାନୀଗୁଡ଼ିକର ଖର୍ଚ୍ଚ ବହୁଗୁଣ ବଢ଼ିଯିବ। ଫଳରେ ଭାରତୀୟ ପେସାଦାରମାନଙ୍କ ନିଯୁକ୍ତି ସୁଯୋଗ ଉପରେ ମଧ୍ୟ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।


H-1B ଭିସା ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ଭିସା ବ୍ୟବସ୍ଥା। ଏହା ମାଧ୍ୟମରେ ଆମେରିକୀୟ କମ୍ପାନୀଗୁଡ଼ିକ ପ୍ରଯୁକ୍ତି, ଇଞ୍ଜିନିୟରିଂ, ଶିକ୍ଷା, ଗବେଷଣା ଏବଂ ଅନ୍ୟ ବିଶେଷ କ୍ଷେତ୍ରରେ ବିଦେଶୀ ପେସାଦାରଙ୍କୁ ନିଯୁକ୍ତି ଦେଇଥାନ୍ତି। ପ୍ରତିବର୍ଷ ସାଧାରଣ କୋଟାରେ ୬୫ ହଜାର H-1B ଭିସା ଜାରି କରାଯାଏ। ଏହାସହ ଆମେରିକାରେ ଉଚ୍ଚଶିକ୍ଷା ଡିଗ୍ରୀ ହାସଲ କରିଥିବା ବ୍ୟକ୍ତିଙ୍କ ପାଇଁ ଅତିରିକ୍ତ ୨୦ ହଜାର ଭିସା ଉପଲବ୍ଧ ରହିଛି।


ଭାରତୀୟ ପେସାଦାରଙ୍କ ବଢ଼ିବ କି ସମସ୍ୟା?

H-1B ଭିସା କାର୍ଯ୍ୟକ୍ରମରେ ଭାରତୀୟ ପେସାଦାରମାନଙ୍କ ଅଂଶ ସବୁଠାରୁ ଅଧିକ। ସରକାରୀ ତଥ୍ୟ ଅନୁଯାୟୀ, ୨୦୨୫ ଆର୍ଥିକ ବର୍ଷରେ ପ୍ରାୟ ୭୦ ପ୍ରତିଶତ H-1B କର୍ମଚାରୀ ଭାରତୀୟ ଥିଲେ। ପ୍ରାୟ ୧୨ ପ୍ରତିଶତ ଅଂଶ ସହ ଚୀନ୍ ନାଗରିକମାନେ ଦ୍ୱିତୀୟ ସ୍ଥାନରେ ଥିଲେ। ତେଣୁ ପ୍ରସ୍ତାବିତ ଏହି ବିପୁଳ ଭିସା ଫି ଭାରତୀୟ ପେସାଦାରଙ୍କ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇପାରେ।