ରାଜ୍ୟରେ ବର୍ଷା ପରେ ବଢ଼ିଲା ବନ୍ୟା ଭୟ : ରାଜ୍ୟ ସାରା ସାଙ୍ଘାତିକ ସ୍ଥିତି 

Aug 3, 2023 - 12:31
 0  9
ରାଜ୍ୟରେ ବର୍ଷା ପରେ ବଢ଼ିଲା ବନ୍ୟା ଭୟ : ରାଜ୍ୟ ସାରା ସାଙ୍ଘାତିକ ସ୍ଥିତି 
ରାଜ୍ୟରେ ବର୍ଷା ପରେ ବଢ଼ିଲା ବନ୍ୟା ଭୟ : ରାଜ୍ୟ ସାରା ସାଙ୍ଘାତିକ ସ୍ଥିତି 
ରାଜ୍ୟରେ ବର୍ଷା ପରେ ବଢ଼ିଲା ବନ୍ୟା ଭୟ : ରାଜ୍ୟ ସାରା ସାଙ୍ଘାତିକ ସ୍ଥିତି 
ରାଜ୍ୟରେ ବର୍ଷା ପରେ ବଢ଼ିଲା ବନ୍ୟା ଭୟ : ରାଜ୍ୟ ସାରା ସାଙ୍ଘାତିକ ସ୍ଥିତି 

ରାଜ୍ୟରେ ବର୍ଷା ପରେ ବଢ଼ିଲା ବନ୍ୟା ଭୟ । ଲଘୁଚାପ ଜନିତ ବର୍ଷା ଯୋଗୁଁ ପ୍ରବଳ ବର୍ଷା ଲାଗି ରହିଛି । ସବୁ ନଦୀନାଳ ପୂର୍ଣ୍ଣ ହେବା ଉଛୁଳିବା ଆରମ୍ଭ କରିଛି । ରାଜ୍ୟରେ ବର୍ଷାର ପରିମାଣ ଯେମିତି ବଢ଼ିବାରେ ଲାଗିଛି ବନ୍ୟା ସଂକେତ ବି ସେମିତି। ସବୁ ଜିଲ୍ଲା ପ୍ରାୟ ଜଳମୟ । ସଙ୍କଟର କଳା ବାଦଲ ଯେମିତି ଚାରିଆଡେ। ଗମନାଗମନ କରି ହେଉ ନାହିଁ । ଲୋକେ ହନ୍ତସନ୍ତ ହେଉଛନ୍ତି। ବୌଦ୍ଧରୁ ରେଢ଼ାଖୋଲ, ଢେଙ୍କାନାଳରୁ ସୋନପୁର ସବୁଠି ସ୍ଥିତି ବିଗିଡିଲାଣି। ସମାକୋଇ ନଦୀ ପୋଲ ଉପରେ ୫ ଫୁଟ୍‌ ପାଣି ଆସିଛି। ଯାହାଦ୍ବାରା ଢେଙ୍କାନାଳ, ତାଳଚେର, ଭୁବନେଶ୍ୱରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ୧୦ଟି ପଞ୍ଚାୟତ ବ୍ଲକ ମୁଖ୍ୟାଳୟରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି। ମନୁମନ୍ତିଆ ନାଳ ପୋଲ ଉପରେ ୫ ଫୁଟର ବର୍ଷା ଜଳ । ସମ୍ବଲପୁର ଓ ରାଉରକେଲା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।    

ସେହିପରି ଲଗାଣ ବର୍ଷାରେ ବେହାଲ ରେଢାଖୋଲ। ବଢିବାରେ ଲାଗିଛି ବିଭିନ୍ନ ନଦୀ, ନାଳ ଜଳସ୍ତର। କେରାଣ୍ଡି ନାଳରେ ପାଣି ବଢ଼ିବାରୁ ଦୋମୁହାଣି ପୋଲ ଉପରେ ଚାଲୁଛି ୪ ଫୁଟର ପାଣି। ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପୋଲର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହ ଶହ ଗାଡ଼ି। ଗତକାଲିଠୁ ଛାତ୍ରଛାତ୍ରୀମାନେ ସ୍କୁଲ ଛୁଟି ପରେ ଆସି ଅଟକି ରହିଛନ୍ତି।

ବରଗଡ଼ ଜିଲ୍ଲା ଘୋଷାଲି ନଦୀ ପୋଲ ଉପରେ ୧୦ ଫୁଟର ପାଣି । ଗତକାଲିଠାରୁ ଲଗାଣ ବର୍ଷା ଫଳରେ ଘୋଷାଲି ନଦୀ ପୋଲ ଉପରେ ୧୦ ଫୁଟର ପାଣି ଚାଲୁଛି। ଫଳରେ ବରଗଡ଼-ବିଜେପୁରରୁ ପଦ୍ମପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସେହିପରି ପଦ୍ମପୁର ଊପଖଣ୍ଡ ଅଞ୍ଚଳରେ ଲଗାଣ ବର୍ଷାରେ ଚାଷ ଜମି ଜଳମଗ୍ନ ହୋଇଛି । ପଦ୍ମପୁର ପାଇକମାଳ ଝାରବନ୍ଧ ଓ ଗାଇସିଲେଟ ଅଞ୍ଚଳର ଚାଷ ଜମିଗୁଡ଼ିକ ଜଳମଗ୍ନ ହୋଇଛି । ଧାନ ଫସଲ ପାଣିରେ ବୁଡ଼ି ରହିଥିବାରୁ ଫସଲ ନଷ୍ଟ ହେବାର ସମ୍ଭାବନା ଦେଖାଦେଇଛି । ଗାଇସିଲେଟ ବ୍ଲକର ଗୁଦେରପାଲି ସ୍ଥିତ ଏକ ନଦୀରେ ବନ୍ୟା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି ।

ସୁବର୍ଣ୍ଣପୁରରେ ବି ବନ୍ୟା ଭଳି ସ୍ଥିତି ଦେଖିବାକୁ ମିଳିଛି । ଘୁଙ୍ଗିନାଳ ଉପରେ ଚାଲିଛି ୫ ଫୁଟ୍‌ ପାଣି । ଫଳରେ ବୀରମହାରାଜପୁରରୁ ଆମରପାଲି ରାସ୍ତାଦେଇ ଲୁଟୁରପଙ୍କ, ବହଳପଦର ଏବଂ ଦୁର୍ଜନତଇଲା ପଞ୍ଚାୟତ ସମେତ ସମ୍ବଲପୁରକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଲଗାଣ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହରିହର ଯୋର ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ପରେ ଡ୍ୟାମ ତଳେ ଥିବା ଅନେକ ଗାଁ ଏବେ ପାଣି ଘେରରେ । ଜଳବନ୍ଦୀ ହୋଇ ରହିଛନ୍ତି ମସିନାପାଲି, ମସିନାପାଲି ଜଙ୍ଗଲ, ବ୍ରାହ୍ମଣୀପାଲି, ବରଘାଟ ଏବଂ କୃଷ୍ଣପାଲି ଗ୍ରାମବାସୀ। ଡ୍ୟାମର ୯ଟି ଗେଟରୁ ୬ଟି ଗେଟ ଖୋଲି ଦିଆଯାଇଛି ।

ସେପଟେ ମୟୂଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଳକ କୁଦରସାହି ଦେଇ ଯାଇଥିବା ବୁଢ଼ୀ ନାଳ ପୋଲ ଉପରେ ପ୍ରବଳ ବର୍ଷା ଯୋଗୁଁ ୧୦ ଫୁଟ ଉଚ୍ଚର ପାଣି ଚାଲୁଛି। ଫଳରେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ଭାବେ ବିଛିନ୍ନ ହୋଇଯାଇଛି ୨ଟି ପଞ୍ଚାୟତର ୨୦ରୁ ଉର୍ଦ୍ଧ୍ୱ ଗାଁ। ଜଳବନ୍ଦୀ ହୋଇ ରହିଛନ୍ତି ଦୁଧିଆଣି ଓ ମିରିଗିନେଣ୍ଡି ପଞ୍ଚାୟତର ୨୦ରୁ ଉର୍ଦ୍ଧ୍ୱ ଗାଁ। ସେହିପରି ଶିମିଳିପାଳ ଅଭୟାରଣ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। କବାଟଘାଇରେ ସର୍ବାଧିକ ୨୪୮ .୯୨ ସର୍ବାଧିକ ବର୍ଷା ରେକର୍ଡ ହେଇଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.