ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ପୂଜାରେ ଚାନ୍ଦା ଆଦାୟ କଲେ ଦଣ୍ଡ

ପ୍ରକାଶିତ: August 23, 2025, 7:28 PM | ଓଡିଶା ଜିଲ୍ଲା ସମାଚାର
ପୂଜାରେ ଚାନ୍ଦା ଆଦାୟ କଲେ ଦଣ୍ଡ


ଦୂର୍ଗା ପୂଜା ଏବଂ ଏହି ସମୟରେ ବେଆଇନ ଚାନ୍ଦା ଆଦାୟକୁ ନେଇ ପୋଲିସ ପ୍ରଶାସନ ସକ୍ରିୟ ହୋଇଛି। ଏହି ସମୟରେ ଚାନ୍ଦା ଆଦାୟକୁ ନେଇ ବିଭିନ୍ନ ଅପରାଧିକ କାର୍ଯ୍ୟ କଳାପ ସୃଷ୍ଟି ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଚାନ୍ଦା ଆଦାୟକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ସମସ୍ତ ଜିଲ୍ଲା ଏସପିଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଡିଜିପି ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ସେ ସମସ୍ତ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାର୍ବଣ ଋତୁ ସମୟରେ ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ଅଗ୍ରାଧିକାର ଦେଇ ସେ ଦିଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଜିଲ୍ଲାଗୁଡିକରେ କାର୍ଯ୍ୟ କରୁଥିବା ସାଇବର ସେଲ ଦ୍ଵାରା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। 

ଏହି ପାର୍ବଣ ଋତୁ ସମୟରେ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ଉପରେ ଡିଜିପି ବୈଠକରେ ଗୁରୁତ୍ଵାରୋପ କରିଥିଲେ। ସଦାସର୍ବଦା ସତର୍କତା ଏବଂ ଯେକୌଣସି ପ୍ରକାର ଅଘଟଣ ସମ୍ପର୍କରେ ଆଗୁଆ ସୂଚନା ପାଇବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବାସହ ଏଥିନିମନ୍ତେ ତୁରନ୍ତ ଯୋଜନାବଦ୍ଧ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପରାମର୍ଶ ଦେଇଥିଲେ। ବିଶେଷକରି ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଗୁଜବ, ବିଭ୍ରାନ୍ତିକର ତଥ୍ୟ ସଂକ୍ରାନ୍ତରେ ସଦାସର୍ବଦା ନଜର ରଖିବା ଉପରେ ସେ ଗୁରୁତ୍ଵ ଦେଇଥିଲେ। ଏଥି ନିମନ୍ତେ ଜିଲ୍ଲାଗୁଡିକରେ କାର୍ଯ୍ୟ କରୁଥିବା ସାଇବର ସେଲ ଦ୍ଵାରା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି ।

ସେହିପରି ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୋଲିସ ପାଟ୍ରୋଲିଂକୁ କଡାକଡି କରିବା ଅଭ୍ୟାସଗତ ଅପରାଧୀଙ୍କ ଉପରେ ଦୃଷ୍ଟି ରଖିବା, ସହରର ସମ୍ବେଦନଶୀଳ ସ୍ଥାନଗୁଡିକରେ ସିସିଟିଭି ବ୍ୟବସ୍ଥା, ଗୁଇନ୍ଦା ସୂଚନା ସଂଗ୍ରହ, ପୂଜା କମିଟି ସହ ଆଲୋଚନା, ବିଭିନ୍ନ ଗୋଷ୍ଠୀ ସହ ଆଲୋଚନା କରି ସେମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା, ଭସାଣି ସମୟରେ ସତର୍କତା ପଦକ୍ଷେପ ଆଦି ପ୍ରସଙ୍ଗରେ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଏସପି ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।