ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି: ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ପ୍ରକାଶିତ: July 7, 2025, 7:38 PM | ଓଡିଶା ଜିଲ୍ଲା ସମାଚାର
ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି: ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ


ସମ୍ପ୍ରତି ରାଜ୍ୟ ଓ ରାଜ୍ୟର ଉପର ମୁଣ୍ଡରେ ଲଗାତର ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳସ୍ତର ଅଧିକ ବୃଦ୍ଧି ପାଇଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଅତ୍ୟଧିକ ବର୍ଷା ଯୋଗୁଁ ଭଦ୍ରକ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ କ୍ଷୟକ୍ଷତି ହୋଇଛି। ତେବେ କୌଣସି ନଦୀରେ ବିପଦ ସଙ୍କେତ ସ୍ଥିତି ନାହିଁ। କିନ୍ତୁ ନଦୀ ଗୁଡିକରେ ଜଳସ୍ତର ବଢ଼ୁଛି। ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ମନ୍ତ୍ରୀ କହିଛନ୍ତି ଯେ ତଳିଆ ଅଞ୍ଚଳରେ ବର୍ଷା ପାଣି ରହିଛି। କେଉଁଠି ବି ବନ୍ୟା ପାଣି ପଶି ନାହିଁ, କିନ୍ତୁ ପୂର୍ବରୁ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରିଲିଫ ଏବଂ ବନ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରହିଛି। ଓଡ୍ରାଫ ଏବଂ ଏନଡିଆରଏଫ ଟିମ୍ ମୁତୟନ ଅଛନ୍ତି। ଯଦି ବନ୍ୟା ସ୍ଥିତି ଉପୁଜେ ସରକାର ପ୍ରସ୍ତୁତ ଅଛନ୍ତି।

ବନ୍ୟା ପାଣି ପଶିଲେ ଲୋକମାନେ ତୁରନ୍ତ ବନ୍ୟା ଆଶ୍ରୟ ସ୍ଥଳୀକୁ ଚାଲିଯିବା ପାଇଁ ସତର୍କ କରାଯାଇଛି। ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ର କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି। ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିଲେ, ଜିଲ୍ଲାପାଳମାନଙ୍କୁ କ୍ଷତିପୂରଣ ରାଶି ପଠାଇ ଦିଆଯିବ। ଏହି ପରିପ୍ରେକ୍ଷୀରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଯେ ହୀରାକୁଦରେ ୨୦ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଏବେ ୩ ଲକ୍ଷ ୩୪ ହଜାର ୭୩୫ କ୍ୟୁସେକ ଜଳ ନିଷ୍କାସନ ହେଉଛି।