ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

୧୮,୬୫୩ କୋଟି ଟଙ୍କାର ୧୦୫ଟି ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ମୋଦୀ

ପ୍ରକାଶିତ: June 20, 2025, 8:48 PM | ଓଡିଶା ଜିଲ୍ଲା ସମାଚାର
୧୮,୬୫୩ କୋଟି ଟଙ୍କାର ୧୦୫ଟି ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ମୋଦୀ


ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ଯୋଜନା ଓ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଓ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତରେ ଆସିଛନ୍ତି। ଭୁବନେଶ୍ଵରରେ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୋଦୀ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ଶୁଭାରମ୍ଭ ଆରମ୍ଭ କରିବା ସହ ଭିଜନ ଡକୁମେଣ୍ଟ ‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭’ ଉନ୍ମୋଚିତ କରିଥିଲେ। 

ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ଓଡ଼ିଶାର ବରପୁତ୍ରମାନଙ୍କର ଜନ୍ମସ୍ଥଳୀର ବିକାଶ କରାଯିବ। ଏହି ଯୋଜନା ଅନୁଯାୟୀ, ପ୍ରତ୍ୟେକ ଐତିହ୍ୟ ଗ୍ରାମ ପାଇଁ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସମ୍ପୂର୍ଣ୍ଣ ଯୋଜନାରେ ପ୍ରାୟ ୧୯ ହଜାର କୋଟି ଟଙ୍କା ବିନିଯୋଗ ହେବ। ଏହି ଯୋଜନାରେ ବରପୁତ୍ରମାନଙ୍କ ଜନ୍ମସ୍ଥଳୀରେ ପୂର୍ବ ପୁରୁଷଙ୍କର ବାସଗୃହକୁ ସଂଗ୍ରହାଳୟ ଭାବେ ବିକାଶ କରିବା, ପ୍ରତିମୂର୍ତ୍ତି ସ୍ଥାପନା କରିବା, ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା କରିବା, ଶିଶୁ ଉଦ୍ୟାନ, କାରୁକଳା ଓ ପାକଶାଳା ଷ୍ଟଲ୍‌ ଇତ୍ୟାଦି ନିର୍ମାଣ, ଗ୍ରନ୍ଥାଗାର ନିର୍ମାଣ, ସମ୍ମିଳନୀ କକ୍ଷ, ଖୋଲା ଆକାଶ ନାଟ୍ୟମଞ୍ଚ ଇତ୍ୟାଦିର ନିର୍ମାଣ ଆଦି ପଦକ୍ଷେପ ନିଆଯାଇ ସେମାନଙ୍କ ଗ୍ରାମକୁ ଐତିହାସିକ ସାଂସ୍କୃତିକ ସ୍ମୃତିସ୍ଥଳ ଏବଂ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରିବାର ଲକ୍ଷ୍ୟ ରଖାଯାଇଛି ।

ଏହି ଅବସରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ପୁସ୍ତିକା ମଧ୍ୟ ମୋଦୀ ଉନ୍ମୋଚନ କରିଥିଲେ। ଏହି ଯୋଜନାରେ ରାଜ୍ୟର ପ୍ରତି ପଞ୍ଚାୟତରେ ଅତି କମରେ ଗୋଟିଏ ଲେଖାଁଏ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ ସ୍ଥାନ ନିରୂପଣ ଓ ଡିପିଆର ପ୍ରସ୍ତୁତି ଚାଲିଛି।

ଏହା ବ୍ୟତୀତ ଦୁଇଟି ନୂତନ ଟ୍ରେନ୍‌ ବୌଦ୍ଧ-ସମ୍ବଲପୁର ଓ ବୌଦ୍ଧ-ଭୁବନେଶ୍ୱର ନ୍ୟୁ ଚଳାଚଳର ଶୁଭାରମ୍ଭ ମଧ୍ୟ ହୋଇଛି। ୧୮,୬୫୩ କୋଟି ଟଙ୍କାର ମୋଟ ୧୦୫ଟି ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯,୬୪୨ କୋଟି ଟଙ୍କାର ୬୦ଟି ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ୯,୦୧୧ କୋଟି ଟଙ୍କାର ୪୫ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି।