ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମ ପଣ୍ଡା ଗିରଫ
ବ୍ରହ୍ମପୁର: ବିଜେପି ନେତା ଓ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାର ୧୭ ଦିନ ପରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଛି ପୋଲିସ। ଗତକାଲି ରାତିରେ ବିକ୍ରମ ପଣ୍ଡାଙ୍କୁ ପୋଲିସ ଉଠାଇ ନେଇଥିଲା। ବିକ୍ରମ ପଣ୍ଡାଙ୍କ ସମେତ ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ), କର୍ପୋରେଟର୍ ମଳୟ ବିଷୋୟୀ, ବିକ୍ରମ ପଣ୍ଡାଙ୍କ ସହଯୋଗୀ ମଦନ ଦଳେଇ ମଧ୍ୟ ଗିରଫ ହୋଇଛନ୍ତି। ଏଯାଏ ମୋଟ ୧୨ ଅଭିଯୁକ୍ତଙ୍କୁ ଗିରଫ ହୋଇଛନ୍ତି।
ବ୍ରହ୍ମପୁର ଏସପି ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁସାରେ, ପୀତବାସଙ୍କୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଥିଲା। ବିହାରରୁ ଆସିଥିଲେ ହତ୍ୟାକାରୀ। ପ୍ରଥମେ ପୀତବାସଙ୍କ ଗତିବିଧି ଉପରେ ସେମାନେ ଲକ୍ଷ୍ୟ ରଖିଥିଲେ, ତା ପରେ କେଉଁଠୁ ହତ୍ୟା କରିବେ କେମିତି ହତ୍ୟା କରିବେ ତାର ଯୋଜନା ପ୍ରସ୍ତୁତ କରିଥିଲେ।
ଯୋଜନା ମୁତାବକ ପିଣ୍ଟୁ ପ୍ରଧାନ ଗାଡ଼ି ଚଳାଇଥିଲେ, କୁରୁପତି ଭୂୟାଁ ଗୁଳି ଚଳାଇଥିଲେ। ମଳୟ ବିଷୋୟୀ ଓ ମଦନ ଦଳେଇ ପୂରା ଷଡ଼ଯନ୍ତ୍ର କରିଥିଲେ। ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ସବୁ ଷଡ଼ଯନ୍ତ୍ର କରାଇଥିଲେ। ମଳୟ ବିଷୋୟୀ ଓ ମଦନ ଦଳେଇ ଜରିଆରେ ବିକ୍ରମ ପଣ୍ଡା ଷଡ଼ଯନ୍ତ୍ର କରିଥିଲେ।
ପୀତବାସଙ୍କୁ ହତ୍ୟା କରିବା ପାଇଁ ୫୦ ଲକ୍ଷ ଟଙ୍କା ଡିଲ୍ ହୋଇଥିଲା। ଏଥିପାଇଁ ସାର୍ପ ସୁଟର ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା। ଅନ୍ୟପଟେ ବିକ୍ରମ ପଣ୍ଡାଙ୍କୁ ଅଟକ ନେଇ ବିଜେଡି କରିଛି ପ୍ରତିବାଦ। ବିଜେଡି ପକ୍ଷରୁ ବ୍ରହ୍ମପୁର ଏସ୍ପି ଅଫିସ୍ ଘେରାଉ ଉଦ୍ୟମ। ଆଇନ ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛି।