ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଜଗା ପ୍ରଧାନ ଗିରଫ, ସମର୍ଥକଙ୍କ ହାଇ ଡ୍ରାମା- ଆନ୍ଦୋଳନରୁ ହଟିଲା ଓଏଏସ ସଂଘ

ପ୍ରକାଶିତ: July 4, 2025, 11:29 AM | ଓଡିଶା ଜିଲ୍ଲା ସମାଚାର
ଜଗା ପ୍ରଧାନ ଗିରଫ, ସମର୍ଥକଙ୍କ ହାଇ ଡ୍ରାମା- ଆନ୍ଦୋଳନରୁ ହଟିଲା ଓଏଏସ ସଂଘ


ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଘଟଣାରେ ଆତ୍ମସମର୍ପଣ କରିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି। ଗୁରୁବାର ରାତିରେ ଜଗନ୍ନାଥ ଭୁବନେଶ୍ଵର ଡିସିପି ଅଫିସରେ ପହଞ୍ଚି ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି।

ଡିସିପି ଅଫିସରେ ପହଞ୍ଚିବା ପରେ ଜଗା କହିଥିଲେ ଯେ, ସେ ତଦନ୍ତରେ ସହଯୋଗ କରିବେ। ଗିରଫ ପରେ କ୍ୟାପିଟାଲ୍ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ତାଙ୍କ ଜାମିନ୍ ଆବେଦନକୁ JMFC କୋର୍ଟ ଖାରଜ କରିବା ପରେ ୧୪ ଦିନ ପାଇଁ ଝାରପଡ଼ା ଜେଲ୍ ହାଜତକୁ ଯାଇଛନ୍ତି। ଏହା ପରେ ଜଗନ୍ନାଥଙ୍କ ପକ୍ଷରୁ ସେସନ୍ସ କୋର୍ଟରେ ଆବେଦନ କରାଯିବ ବୋଲି ସୂଚନା ରହିଛି। ପ୍ରାଥମିକ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରାଯାଇଛି ବୋଲି ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ପୁଲିସ ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରିଛି।

ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ପରେ ଖବର ପାଇ ତାଙ୍କର ଶତାଧିକ ସମର୍ଥକ ବାଣୀବିହାରଠାରେ ରାସ୍ତାରୋକୋ କରି ପ୍ରତିବାଦ କରିଥିଲେ। ଜଗା ପ୍ରଧାନଙ୍କ ଗିରଫକୁ ସେମାନେ ବିରୋଧ କରି ନାରାବାଜି କରିଥିଲେ। ତେବେ ରାସ୍ତା ଅବରୋଧରୁ ହଟିଯିବା ପାଇଁ କିଛି ଦଳୀୟ ନେତା ସେମାନଙ୍କୁ ବୁଝାସୁଝା କରୁଥିବା ଦେଖାଯାଇଥିଲା। ପରେ ପୁଲିସର ହସ୍ତକ୍ଷେପ ପରେ ରାସ୍ତା ଅବରୋଧ ହଟିଥିଲା। 

ଜଗା ପ୍ରଧାନ ଗିରଫ ପରେ ଆନ୍ଦୋଳନ ପ୍ରତ୍ୟାହାର କରିଥିବା OAS ସଂଘ ଘୋଷଣା କରିଛି। ଶୁକ୍ରବାରଠାରୁ ସଂଘର କର୍ମଚାରୀମାନେ ନିଜନିଜ କାର୍ଯ୍ୟରେ ଯୋଗ ଦେବେ। ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗତ ୩ ଦିନ ହେଲା ଆନ୍ଦୋଳନ କରୁଥିଲା ସଂଘ। ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଅଡ଼ି ବସିଥିଲା। ରାଜ୍ୟ ସରକାରଙ୍କ ଉପରେ ଭରସା ଥିଲା ବୋଲି ସଂଘ କହିଛି।