ନକଲି ଚାଷୀ: ଇ-କେୱାଇସି ବାଧ୍ୟତାମୂଳକ କଲେ ସରକାର
୨୩।୭: ରାଜ୍ୟରେ ଚାଷୀଙ୍କ ନାମରେ ବ୍ୟାପକ ଠକେଇ ହେଉଥିବାରୁ ଓଡିଶା ସରକାର ଏହାର ନିରାକରଣ ପାଇଁ ପଦକ୍ଷେପ ନେଇଛନ୍ତି। ଧାନ ବିକ୍ରି ପାଇଁ ପଞ୍ଜୀକରଣ କରୁଥିବା ସମସ୍ତ ଚାଷୀଙ୍କ ପାଇଁ ସରକାର ଇ-କେୱାଇସି (ଇଲେକ୍ଟ୍ରୋନିକ ନୋ-ୟୋର-କଷ୍ଟମର) ଯାଞ୍ଚକୁ ବାଧ୍ୟତାମୂଳକ କରିଛନ୍ତି। ଏହା ଫଳରେ ନକଲି ଚାଷୀ ଚିହ୍ନଟ ହେବ ସହ ସେମାନଙ୍କୁ ଧାନ କ୍ରୟ ହେରଫେରରୁ ବାଦ ଦିଆଯାଇପାରିବ। ଏ ନେଇ ଖାଦ୍ୟ ଯୋଗାଣ ଓ ଗ୍ରାହକ କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଇ-କେୱାଇସି ପ୍ରକ୍ରିୟାରେ ଟିପ ଚିହ୍ନ ଓ ଆଖିର ଆଇରିସ ସ୍କାନ ମାଧ୍ୟମରେ ଚାଷୀଙ୍କ ପରିଚୟ ଯାଞ୍ଚ କରାଯିବ, ଯାହା ଦ୍ୱାରା କେବଳ ପ୍ରକୃତ ଚାଷୀମାନେ ସରକାରଙ୍କୁ ଧାନ ବିକ୍ରୟ ଯୋଜନାରୁ ଲାଭ ଉଠାଇ ପାରିବେ। ମନ୍ତ୍ରୀ ପାତ୍ର ସମସ୍ତ ପ୍ରକୃତ ଚାଷୀଙ୍କୁ ନିଜ ସମବାୟ ସମିତି କେନ୍ଦ୍ରକୁ ଯାଇ ଧାନ କ୍ରୟ ପଞ୍ଜୀକରଣ ସମୟରେ ଇ-କେୱାଇସି ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଚାଷୀମାନେ ନିଜର ଆଧାର କାର୍ଡ ଓ ବ୍ୟାଙ୍କ ବିବରଣୀ ସଠିକ୍ ଭାବେ ଜମା କରନ୍ତୁ, ଯାହା ଦ୍ୱାରା ସେମାନଙ୍କ ଖାତାକୁ ସହଜରେ ଟଙ୍କା ପଠାଯାଇପାରିବ।”