ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଶିକ୍ଷାବିତ୍ ପ୍ରଫେସର ପ୍ରଫୁଲ୍ଲ ମହାପାତ୍ରଙ୍କ ପରଲୋକ

ପ୍ରକାଶିତ: June 13, 2025, 8:12 PM | ଓଡିଶା ଜିଲ୍ଲା ସମାଚାର
ଶିକ୍ଷାବିତ୍ ପ୍ରଫେସର ପ୍ରଫୁଲ୍ଲ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ଵର, ୧୩।୬; ଓଡ଼ିଶା ମାଧ୍ଯମିକ ଶିକ୍ଷା ବୋର୍ଡ଼ର ପୂର୍ବତନ ସଭାପତି ଓ ଏସ୍‌ସିଆରଟିର ପୂର୍ବତନ ନିର୍ଦ୍ଦେଶକ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ପ୍ରଫୁଲ ଚନ୍ଦ୍ର ମହାପାତ୍ର ୮୪ ବର୍ଷ ବୟସରେ ଭୁବନେଶ୍ଵର ଆଇଆରସି ଭିଲେଜ ସ୍ଥିତ ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି। ଅଧ୍ୟାପକରୁ ଚାକିରି ଜୀବନ ଆରମ୍ଭ କରିଥିବା ଡ ମହାପାତ୍ର ବିଭିନ୍ନ ସମୟରେ କଟକସ୍ଥିତ ଆରଏନଆଇଏଏସଇ (ଆରଏନଟି) ଟ୍ରେନିଂ କଲେଜ ଓ ଏସସିଆରଟିରେ ପ୍ରଫେସର, କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟରେ ଏନଏସଏସର ଉପ-କାର୍ଯ୍ୟକ୍ରମ ପରାମର୍ଶଦାତା, ଓଡ଼ିଶାରେ ସମସ୍ତଙ୍କ ପାଇଁ ଶିକ୍ଷା ସେଲ୍‌ର ସଦସ୍ୟ ସଚିବ, ପଞ୍ଚମ ସର୍ବଭାରତୀୟ ଶକ୍ଷା ସର୍ଭେରେ ରାଜ୍ୟ ସର୍ଭେ ଅଧୁକାରୀ, ଓଡ଼ିଶା ମାଧ୍ଯମିକ ଶିକ୍ଷା ବୋର୍ଡ଼ର ସଭାପତି ଓ ଏସିଆରଟିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଏହା ଛଡ଼ା ସେ ଭାରତ ସରକାରଙ୍କ ମାନବ ସମ୍ବଳ ମନ୍ତ୍ରାଳୟ ଦ୍ୱାରା ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ର ଭୂମିକା ନେଇ ଗଠିତ ଟାସ୍କ ଫୋର୍ସର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ସେ ୧୯୯୯ ମସିହାରେ ଚାକିରିରୁ ଅବସର ନେଇଥିଲେ। ଅବସର ପରେ ଡ ମହାପାତ୍ର ଓଡ଼ିଶା ସରକାରଙ୍କ ଦ୍ବାରା ଗଠିତ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଗଠିତ ଭିଜନ୍ ୨୦୨୦ ଟାସ୍କ ଫୋର୍ସର ସଦସ୍ୟ, ଭାରତ ସରକାରଙ୍କ ସ୍ୱାକ୍ଷରତା ମିଶନର କୋର ଗ୍ରୁପ୍ ସଦସ୍ୟ, ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅନୁସୂଚିତ ଜନଜାତି ଶିକ୍ଷା ସମିତି (ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ)ର ସଦସ୍ୟ, ଓଡ଼ିଶା ମାଧ୍ଯମିକ ଶିକ୍ଷା ବୋର୍ଡ଼ର ପରୀକ୍ଷା ସଂସ୍କାର କମିଟିର ଅଧ୍ୟକ୍ଷ, ଜାତୀୟ ପାଠ୍ୟକ୍ରମ ଫ୍ରେମ୍ ୱାର୍କର ସଦସ୍ୟ, ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନସିଟିଇ)ର ପୂର୍ବାଞ୍ଚଳ ଅଧ୍ଯକ୍ଷ ଓ ଓଡ଼ିଶା ଶିକ୍ଷା ବିକାଶ ସମିତିର ସଭାପତି ଭାବରେ ମଧ୍ଯ କାର୍ଯ୍ୟ କରିଥିଲେ। ସେ ଏନସିଆରଟି ଦ୍ଵାରା ପ୍ରକାଶିତ ଓଡ଼ିଶାର ପଞ୍ଚମ ଶିକ୍ଷା ସର୍ଭେ, ଓଡ଼ିଶାର ଶିକ୍ଷା ପ୍ରଶାସନିକ ସର୍ଭେ, ଭାରତରେ ଶିକ୍ଷକ ଶିକ୍ଷା, ସମସ୍ତଙ୍କ ପାଇଁ ଶିକ୍ଷା ଆଦି ପୁସ୍ତକ ଲେଖିବା ସହ ତାଙ୍କ ଦ୍ୱାରା ଲିଖିତ ୪୭ଟି ଗବେଷଣାତ୍ମକ ସନ୍ଦର୍ଭ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଜର୍ଣାଲ୍‌ରେ ପ୍ରକାଶିତ ହୋଇଥିଲା। ଏହା ବ୍ୟତୀତ ସେ ରୋଟାରୀ କ୍ଲବ୍‌ ସଦସ୍ୟ ଓ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ (ଗୋପବନ୍ଧୁ ଖଦୀ ସୋସାଇଟି)ର ସଭାପତି ରହିଥିଲେ। ଡ ମହାପାତ୍ର ଜଣେ ସୁନାମଧନ୍ୟ ଶିକ୍ଷାବିତ ଓ ପ୍ରଶାସକ ଭାବେ ସୁନାମ ଅର୍ଜନ କରିଥିଲେ। ସେ ଜଣେ ଅତ୍ୟନ୍ତ ମେଳପି, ସରଳ ଓ ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି।

ପୂର୍ବତନ ମୁଖ୍ୟ ଶାସନ ସଚିବ ଅଜିତ କୁମାର ତ୍ରିପାଠୀ, ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ସୁଦର୍ଶନ ନାୟକ, ବିଦ୍ୟାଭାରତୀ ସର୍ବଭାରତୀୟ ସାଂଗଠନିକ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାନ୍ତ, ଓଡ଼ିଶା ସାଂଗଠନିକ ସମ୍ପାଦକ ତାରକ ଦାସ ସରକାର, ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ଶାଳକ ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ, ପୁତୁରା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର କନିଷ୍ଠ ପୁତ୍ର ରୂପକ ମହାପାତ୍ର ଓ ନାତି ସ୍ଵରୂପ ମହାପାତ୍ର ଉପସ୍ଥିତ ଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠ ପୁତ୍ର ଇ. ଦୀପକ ମହାପାତ୍ର ମୁଖାଗ୍ନି ଦେଇଥିଲେ