ଫକୀରମୋହନ ଛାତ୍ରୀଙ୍କୁ ନ୍ୟାୟ ଦେବା ନିମନ୍ତେ କଂଗ୍ରେସର ଅନୁଧ୍ୟାନ କମିଟି: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ ପଟ୍ଟନାୟକ
ବାଲେଶ୍ଵର ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଇଂଟିଗ୍ରେଟେଡ ବିଏଡ୍ ଦ୍ଵିତୀୟବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦେବା ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଏଙ୍କ ନେତୃତ୍ଵରେ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରାଯାଇଛି। ଏହି କମିଟି ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତିତା ହୋଇ ମହାବିଦ୍ୟାଳୟର ଅଧ୍ୟକ୍ଷ, ସ୍ଥାନୀୟ ଥାନା ପ୍ରମୁଖଙ୍କ ପାଖରେ ନ୍ୟାୟଭିକ୍ଷା କରିବା ପରେ ନ୍ୟାୟ ନପାଇ ଶେଷରେ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଉଦ୍ୟମ ଘଟଣାର ଅନୁଧ୍ୟାନ କରିବ। ଖୁବଶୀଘ ବାଲେଶ୍ଵର ଗସ୍ତକରି କମିଟି ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏ ସମ୍ପର୍କିତ ସବିଶେଷ ରିପୋର୍ଟ ଦାଖଲ କରିବ।
ପ୍ରଦେଶ କଂଗ୍ରେସ ତଥ୍ୟ ଅନୁଧ୍ୟାନ କମିଟିରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଆବହକ ନାରୀନ୍ୟାୟ ବାହିନୀ ପ୍ରଫେସର ଗାୟତ୍ରୀ ବିଶ୍ଵାଳ, ବିଧାୟକ ସୋଫିଆ ଫିର୍ଦ୍ଦୋଶ, ପିସିସି ସାଧାରଣ ସମ୍ପାଦିକା ମଧୁସ୍ମିତା ସେଠୀ, ପ୍ରଦେଶ ମହିଳା କଂଗ୍ରେସ ଉପସଭାନେତ୍ରୀ ପ୍ରଣତୀ ମିଶ୍ର, ପିସିସି ମୁଖପାତ୍ର ଜୟଶ୍ରୀ ପାତ୍ର, ପିସିସି ସମ୍ପାଦିକା ଡା. ଦେବସ୍ମିତା ଶର୍ମା ଓ ମହିଳା କଂଗ୍ରେସ ନେତ୍ରୀ ସୁସ୍ମିତା ଘୋଷାଲ ପ୍ରମୁଖ ସଦସ୍ୟ ଭାବେ ରହିଛନ୍ତି। ଏ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଶାସକ ସମୀର କୁମାର ରାଉତରାୟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ସେପଟେ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ ଘଟଣାରେ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରବିବାର ରାଜ୍ୟପାଳ ହରି ବାବୁ କାମ୍ଭମପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସେ କହିଛନ୍ତି “ଓଡିଶାର ପ୍ରମୁଖ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଗୋଟିଏ ହେଉଛି ଏଫଏମ କଲେଜ। ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା କରିବା ଆଶ୍ଚର୍ଯ୍ୟଜନକ ଏବଂ ଗଭୀର ଦୁଃଖଦାୟକ। ଆମର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ରାଜ୍ୟପାଳ ଏଫଏମ ବିଶ୍ୱବିଦ୍ୟାଳୟ ସମେତ ପ୍ରମୁଖ ସରକାରୀ ପରିଚାଳିତ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟ କରନ୍ତି। ଏହି ଘଟଣାରେ ରାଜ୍ୟପାଳ ହସ୍ତକ୍ଷେପ କରିବାକୁ ଅନୁରୋଧ କରିବା ସହ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଉକ୍ତ ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ତାଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ନବୀନ ପୋଷ୍ଟ କରିଛନ୍ତି।