Loading Indian Time...
Loading Indian Time...

ଆଜି ସମଗ୍ର ବିଶ୍ୱରେ ପାଳନ ହେଉଛି ୧୨ତମ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍‍ ଗିଭିଂ’ ଦିବସ

ପ୍ରକାଶିତ: May 17, 2025, 9:21 AM | ଜାତୀୟ
ଆଜି ସମଗ୍ର ବିଶ୍ୱରେ ପାଳନ ହେଉଛି ୧୨ତମ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍‍ ଗିଭିଂ’ ଦିବସ

ଆଜି ସମଗ୍ର ବିଶ୍ୱରେ ପାଳନ ହେଉଛି ୧୨ତମ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍‍ ଗିଭିଂ’ ଦିବସ । ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ୩୫ଟି ସହର, ଭାରତର ବିଭିନ୍ନ ସହର ସହ ବିଶ୍ୱର ପ୍ରାୟ ୨୨୦ଟି ଦେଶରେ ପାଳନ ହେଉଛି ଅନ୍ତର୍ଜାତୀୟ ‘ଆର୍ଟ ଅଫ୍‍ ଗିଭିଂ’ ଦିବସ । ସମସାମୟିକ ଆବଶ୍ୟକତା ଓ ଆବେଗ ଆଧାରରେ ପ୍ରତିବର୍ଷ ‘ଆର୍ଟ ଅଫ୍‍ ଗିଭିଂ’ ପାଇଁ ଏକ ସ୍ୱତନ୍ତ୍ର ବିଷୟବସ୍ତୁ ରହିଥାଏ । ଚଳିତବର୍ଷର ବିଷୟବସ୍ତୁ ରହିଛି ‘ନେବରଗୁଡ଼’- ଅର୍ଥାତ ପଡ଼ୋଶୀଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା । ୨୦୧୩ ମସିହା ମଇ ୧୭ ତାରିଖରେ ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ପରିକଳ୍ପିତ ଏହି ପ୍ରୟାସ କ୍ରମେ ବିଶ୍ୱବ୍ୟାପକ ହୋଇପାରିଛି । ମୁଷ୍ଟିମେୟ ଅଂଶଗ୍ରହଣକାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ କାୟା ବିସ୍ତାର କରିଚାଲିଛି । ଦେଶରୁ ମହାଦେଶକୁ ବ୍ୟାପିଛି । ଲକ୍ଷ ଲକ୍ଷ ବ୍ୟକ୍ତି ସାମିଲ ହୋଇଛନ୍ତି । ଜାତି, ଧର୍ମ, ବୟସ, ଲିଙ୍ଗ, ଜନ୍ମସ୍ଥାନ ନିର୍ବିଶେଷରେ ଏହି ଦିନଟି ସମସ୍ତଙ୍କ ପାଇଁ ଆଶା, ଖୁସି ଓ ମାନବିକତାର ଦିବସ ରୂପେ ପ୍ରତୀଭାତ ହୋଇଛି । ମଇ ୨ ତାରିଖରୁ ମଇ ୧୬ ତାରିଖ ପର୍ଯ୍ୟନ୍ତ ଏ ନେଇ ପାଳିତ ହୋଇଯାଇଛି ଖୁସିର ପକ୍ଷ । ପଡ଼ୋଶୀଙ୍କ ସହ ଜଳପାନରେ ଏକାଠି ହେବା, ପାଖରେ ରହୁଥିବା ବରିଷ୍ଠ ନାଗରିକଙ୍କୁ ଭେଟିବା, ନିଜ ଛୋଟ ବସତିରେ ବୈଠକ କରିବା କି ସେଥିରେ ଭାଗ ନେବା ଇତ୍ୟାଦି । ୨୦୧୩ ମେ ୧୭ତାରିଖରେ ଯେଉଁ ବୀଜ ବପନ କରାଯାଇଥିଲା, ତାହା ଆଜି ଏକ ଜନଆନ୍ଦୋଳନରେ ପରିଣତ ହୋଇଛି । ଲୋକମାନେ ଏହାକୁ ଗ୍ରହଣ କରିଛନ୍ତି । ଏହା ଲୋକଙ୍କ ମଧ୍ୟରେ ଏତେ ଆଦୃତ ହୋଇଛି ଯେ, ସମଗ୍ର ବିଶ୍ୱରେ ବିଶେଷ କରି ଭାରତ ଏବଂ ଓଡ଼ିଶାର ଲୋକମାନେ ଏହାକୁ ଏକ ପର୍ବ ଭାବରେ ପାଳନ କରୁଛନ୍ତି । ଏହା ଦ୍ୱାରା ସମାଜରେ ଶାନ୍ତି, ମୈତ୍ରୀ, ସୌହାର୍ଦ୍ଦ୍ୟ, ବନ୍ଧୁତା ଓ ଭଲପାଇବା ଆହୁରି ଦୃଢ଼ିଭୂତ ହେବା ସହ ବୃଦ୍ଧି ପାଇବ ବୋଲି ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଶା ପ୍ରକାଶ କରିଛନ୍ତି ।