ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

‘ସଞ୍ଚାର ସାଥୀ ଆପ୍‌’ ବାଧ୍ୟତାମୂଳକ ନୁହଁ: ସରକାର

ପ୍ରକାଶିତ: December 4, 2025, 1:28 PM | ଜାତୀୟ
‘ସଞ୍ଚାର ସାଥୀ ଆପ୍‌’ ବାଧ୍ୟତାମୂଳକ ନୁହଁ: ସରକାର


ନୂଆଦିଲ୍ଲୀ: ସଞ୍ଚାର ସାଥୀ ଆପ୍‌’ ଇନଷ୍ଟଲ୍‌ କରିବା ବାଧ୍ୟତାମୂଳକ ନୁହେଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଭାରତରେ ବିକ୍ରି ପାଇଁ ଥିବା ପ୍ରତ୍ୟେକ ମୋବାଇଲରେ ସଞ୍ଚାର ସାଥୀ ଆପ୍‌କୁ ଆଗୁଆ ଇନଷ୍ଟଲ୍‌ କରିବାକୁ ସରକାର ଦେଇଥିବା ନିର୍ଦେଶ ଦେଇଥିଲେ। ମାତ୍ର ଏହାକୁ ଏବେ ପ୍ରତ୍ୟାହାର କରିନିଆଯାଇଛି। ସଞ୍ଚାର ସାଥୀର ବର୍ଦ୍ଧିତ ଗ୍ରହଣୀୟତାକୁ ଦୃଷ୍ଟିରେ ରଖି, ସରକାର ମୋବାଇଲ୍ ନିର୍ମାତାଙ୍କ ପାଇଁ ପ୍ରି-ଇନଷ୍ଟଲେସନକୁ ବାଧ୍ୟତାମୂଳକ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର କେନ୍ଦ୍ର ସରକାରଙ୍କ ଟେଲିକମ୍ ବିଭାଗ ଜାରି କରିଥିବା ନିର୍ଦେଶରେ ଭାରତ ବଜାରରେ ବିକ୍ରି ପାଇଁ ମୋବାଇଲ ହ୍ୟାଣ୍ଡସେଟ୍‌ ତିଆରି କରୁଥିବା କମ୍ପାନୀଗୁଡିକ ସଞ୍ଚାର ସାଥୀ ଆପ୍‌କୁ ଆଗୁଆ ଇନଷ୍ଟଲ୍ କରିବାକୁ ବାଧ୍ୟ ବୋଲି କୁହାଯାଇଥିଲା। ଏପରି କି ଆପ୍‌କୁ ଏପରି ଇନଷ୍ଟଲ୍ କରାଯିବ ଯେପରି କି ଏହାକୁ ଡିଲିଟ୍ ବା ଅନଇନଷ୍ଟଲ୍ କରିବାର ସୁବିଧା ନଥିବ। ସରକାରଙ୍କ ଏପରି ନିର୍ଦେଶକୁ ବିରୋଧୀ ରାଜନୈତିକ ଦଳଗୁଡିକ ସମାଲୋଚନା କରିଥିଲେ।

ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ବିରୋଧୀ ଦଳଗୁଡ଼ିକ କହିଥିଲେ ଯେ ସରକାର ଗୁଇନ୍ଦାଗିରି କରିବା ଲାଗି ଏପରି ନିର୍ଦେଶ ଦେଇଛନ୍ତି। ପେଗାସସ୍‌ ଭଳି ଏହି ଆପ୍ ମାଧ୍ୟମରେ ସରକାର ବିରୋଧୀ ରାଜନେତାଙ୍କ ଗତିବିଧି ଉପରେ ନଜର ରଖିବାକୁ ଚାହୁଁଛନ୍ତି। ଏହାଦ୍ବାରା କେବଳ ବିରୋଧୀ ରାଜନେତା ନୁହେଁ ସାଧାରଣ ନାଗରିକଙ୍କ ଗୋପନୀୟତାର ଉଲ୍ଲଙ୍ଘନ ହେବ। 

ତେବେ ବିରୋଧୀଙ୍କ ବିରୋଧ ପରେ ସରକାର କହିଥିଲେ ଯେ ସଞ୍ଚାର ସାଥୀ ଆପ୍ ମୋବାଇଲରେ ଆଗୁଆ ଇନଷ୍ଟଲ କରାଯିବ। ଆଉ ଏହି ଆପ୍‌କୁ ଯିଏ ଆବଶ୍ୟକ ମନେ କରୁ ନଥିବେ ସେମାନେ ଏହାକୁ ଡିଲିଟ୍ ବା ଅନ୍‌ଇନଷ୍ଟଲ କରିପାରିବେ। ସରକାର କହିଛନ୍ତି ଯେ ସମସ୍ତଙ୍କୁ ସାଇବର ସୁରକ୍ଷା ଯୋଗାଇ ଦେବା ଲାଗି ସମସ୍ତ ସ୍ମାର୍ଟ ଫୋନରେ ସଞ୍ଚାର ସାଥୀ ଆପ୍ ଇନଷ୍ଟଲ କରିବାକୁ ନିର୍ଦେଶ ଦିଆଯାଇଥିଲା। ଏହି ଆପ୍ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ। ସାଇବର ଠକଙ୍କ କବଳରୁ ରକ୍ଷା କରିବା ଏହାର ଉଦ୍ଦେଶ୍ୟ ବୋଲି କୁହାଯାଉଛି।