ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

LPG ସିଲିଣ୍ଡର, ବ୍ୟାଙ୍କିଙ୍ଗ, ପେନସନ, GST ପଞ୍ଜୀକରଣ ଏବଂ ଆଧାର ଅପଡେଟ୍ ନିୟମରେ ପରିବର୍ତ୍ତନ

ପ୍ରକାଶିତ: November 1, 2025, 8:35 PM | ଜାତୀୟ

ନଭେମ୍ବର ପାହିଲାରୁ ସରକାର ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ LPG ସିଲିଣ୍ଡର, ବ୍ୟାଙ୍କିଙ୍ଗ, ପେନସନ, GST ପଞ୍ଜୀକରଣ ଏବଂ ଆଧାର ଅପଡେଟ୍ ସହିତ ଜଡିତ ନୂତନ ନିୟମ ଲାଗୁ କରିଛନ୍ତି।

୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୪ ଟଙ୍କା ୫୦ରୁ ୬ ଟଙ୍କା ୫୦ ପାଇସା ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ନୂତନ ମୂଲ୍ୟ ୧,୫୯୦.୫୦ ଟଙ୍କା । ଯାହା ପୂର୍ବରୁ ୧,୫୯୫.୫୦ ଟଙ୍କା ଥିଲା। ଘରୋଇ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

ସେହିପରି GST ପଞ୍ଜୀକରଣ ପ୍ରକ୍ରିୟା ଏବେ ସହଜ ହୋଇଯାଇଛି। ଆଜିଠାରୁ ଏକ ନୂତନ ସ୍ୱୟଂଚାଳିତ ପଞ୍ଜୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଯାହା ଅଧୀନରେ ଯୋଗ୍ୟ ଆବେଦନକାରୀମାନେ ତିନି ଦିନ ମଧ୍ୟରେ GST ପଞ୍ଜୀକରଣ ପାଇବେ। ଏହା ତଥ୍ୟ ବିଶ୍ଳେଷଣ ମାଧ୍ୟମରେ ସିଷ୍ଟମ ଦ୍ୱାରା ମନୋନୀତ ହୋଇଥିବା ବ୍ୟକ୍ତି ଓ ଯେଉଁମାନଙ୍କର ମାସିକ ଟିକସ ୨.୫ ଲକ୍ଷରୁ କମ୍ ଠିଏ ସେହି ଦୁଇଟି ବର୍ଗର ଆବେଦନକାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ।

ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ମଧ୍ୟ ଏକ ବଡ଼ ଖବର ରହିଛି। ଗ୍ରାହକ ଆକାଉଣ୍ଟ କିମ୍ବା ଲକରରେ ଗୋଟିଏ ବଦଳରେ ୪ ଜଣ ନୋମିନି ଯୋଡିପାରିବେ। ଗ୍ରାହକମାନେ ପ୍ରତ୍ୟେକ ନୋମିନି କେତେ ପାଇବେ ତାହା ମଧ୍ୟ ସ୍ଥିର କରିପାରିବେ। ଏହା ଭବିଷ୍ୟତରେ ବିବାଦର ସମ୍ଭାବନାକୁ ହ୍ରାସ କରିବ। ନଭେମ୍ବର ୧ ରୁ ୩୦ ତାରିଖ ମଧ୍ୟରେ ଜୀବନ ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ। NPS ରୁ UPS କୁ ପରିବର୍ତ୍ତନ କରିବାର ଶେଷ ତାରିଖ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏହା ସହିତ ଯଦି ଆପଣ SBI କ୍ରେଡିଟ୍ କାର୍ଡ ବ୍ୟବହାର କରି ଆପଣଙ୍କ ଡିଜିଟାଲ୍ ୱାଲେଟରେ ୧୦୦୦ ଟଙ୍କାରୁ ଅଧିକ ଲୋଡ୍ କରନ୍ତି, ତେବେ ଆପଣଙ୍କୁ ଅତିରିକ୍ତ ୧% ଚାର୍ଜ ଦେବାକୁ ପଡିବ। ଏହି ସମୟରେ, UIDAI ଆଧାର ଅପଡେଟ୍ ଫି ସଂଶୋଧନ କରିଛି। ପିଲାମାନଙ୍କ ପାଇଁ ବାୟୋମେଟ୍ରିକ୍ ଅପଡେଟ୍ ମାଗଣା, କିନ୍ତୁ ବୟସ୍କମାନଙ୍କ ପାଇଁ ଡେମୋଗ୍ରାଫିକ୍ ଅପଡେଟ୍ ୭୫ ଏବଂ ବାୟୋମେଟ୍ରିକ୍ ଅପଡେଟ୍ ୧୨୫ ଟଙ୍କା ଦେବାକୁ ପଡିବ।