୪୫ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାର-୨୦୨୬ରେ ଓଡ଼ିଶା ପାଭିଲିୟନ ଉଦ୍ଘାଟିତ
୪୫ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାର-୨୦୨୬ରେ ଓଡ଼ିଶା ପାଭିଲିୟନ ଉଦ୍ଘାଟିତ
ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ରେ ଆୟୋଜିତ ୪୫ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାର (ଆଇଆଇଟିଏଫ୍)-୨୦୨୬ରେ ଓଡ଼ିଶା ପାଭିଲିୟନକୁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉଦ୍ଘାଟନ କରିଛନ୍ତି। ମେଳାର ବ୍ୟାପକ ବିଷୟବସ୍ତୁ ‘ବିକାଶ ଓ ଐତିହ୍ୟ’ ଅନୁରୂପ ଓଡ଼ିଶା ପାଭିଲିୟନକୁ ‘ଐତିହ୍ୟରୁ ପ୍ରେରିତ ବିକାଶ’ ବିଷୟବସ୍ତୁ ଆଧାରରେ ପ୍ରସ୍ତୁତ କରାଯାଇଛି। ଏଥିରେ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପାରମ୍ପରିକ ହସ୍ତକଳା, ବିବିଧ ପ୍ରାକୃତିକ ସମ୍ପଦ ଓ ଉଦୀୟମାନ ଆର୍ଥିକ ସୁଯୋଗକୁ ପ୍ରମୁଖତାର ସହ ପ୍ରଦର୍ଶିତ କରାଯାଇଛି।
ଓଡ଼ିଶା ପାଭିଲିୟନରେ ରାଜ୍ୟର ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ, ଜିଆଇ ଟ୍ୟାଗ୍ପ୍ରାପ୍ତ ଉତ୍ପାଦ, ଜନଜାତି କଳା, କୃଷିଜାତ ଦ୍ରବ୍ୟ, ଜଙ୍ଗଲଜାତ ସାମଗ୍ରୀ, ଦୁଗ୍ଧଜାତ ଉତ୍ପାଦ, ଗ୍ରାମୀଣ ଉଦ୍ୟୋଗ ଏବଂ ପର୍ଯ୍ୟଟନ ଆକର୍ଷଣର ଏକ ବ୍ୟାପକ ପ୍ରଦର୍ଶନୀ ଆୟୋଜିତ ହୋଇଛି। ରାଜ୍ୟର ବିଭିନ୍ନ ବିଭାଗ, ସଂସ୍ଥା, ଅନୁଷ୍ଠାନ, ସମବାୟ ସମିତି ଓ ଉତ୍ପାଦକ ସଂଗଠନଗୁଡ଼ିକର ସହଭାଗିତାରେ ଏହି ପ୍ରଦର୍ଶନୀ ଓଡ଼ିଶାର ବିକାଶ ଯାତ୍ରାକୁ ପ୍ରତିଫଳିତ କରୁଛି। ଏଥିରେ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ସହ ନବସୃଜନ, ଉଦ୍ୟୋଗିତା ଓ ସ୍ଥାୟୀ ବିକାଶକୁ ସମାନ ଗୁରୁତ୍ୱ ଦିଆଯାଇଛି।
ଉଦ୍ଘାଟନ ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ସମୃଦ୍ଧ ଐତିହ୍ୟ ଏବଂ ଆଧୁନିକ ବିକାଶ ଯାତ୍ରାକୁ ଉପସ୍ଥାପନ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ରାଜ୍ୟର ପାରମ୍ପରିକ କୌଶଳ, ସ୍ୱଦେଶୀ ଜ୍ଞାନ, ସାଂସ୍କୃତିକ ପରିଚୟ ଓ ପ୍ରଚୁର ପ୍ରାକୃତିକ ସମ୍ପଦ ଏହାର ବିକାଶର ମୂଳ ଆଧାର ବୋଲି ସେ କହିଥିଲେ। ସ୍ଥାନୀୟ କାରିଗର, ବୁଣାକାର, ଚାଷୀ, ଜନଜାତି ସମ୍ପ୍ରଦାୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉଦ୍ୟୋଗୀମାନଙ୍କୁ ବ୍ୟାପକ ବଜାର ସୁଯୋଗ ଯୋଗାଇଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହାଦ୍ୱାରା ସେମାନେ ବୃହତ୍ ବଜାର ସହ ଯୋଡ଼ି ହେବା ସହ ନୂତନ ଆର୍ଥିକ ସୁଯୋଗର ଲାଭ ଉଠାଇପାରିବେ ବୋଲି ସେ ମତ ଦେଇଥିଲେ। ଏଥିସହ ପାଭିଲିୟନରେ ପ୍ରଦର୍ଶିତ ବିବିଧ ଉତ୍ପାଦ ଓ ପଦକ୍ଷେପଗୁଡ଼ିକୁ ପରିଦର୍ଶନ କରିବାକୁ ସେ ଆଗନ୍ତୁକ ଓ ବିଭିନ୍ନ ଅଂଶୀଦାରଙ୍କୁ ଆହ୍ୱାନ ଦେଇଥିଲେ।
ପାଭିଲିୟନରେ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରାର ଅପୂର୍ବ ବିବିଧତା ପ୍ରଦର୍ଶିତ ହୋଇଛି। ସମ୍ବଲପୁରୀ ବସ୍ତ୍ର, ସୂତା, ତସର ଓ ରେଶମ ସାମଗ୍ରୀ, ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, ରୁପା ତାରକସି, ଢୋକ୍ରା ଶିଳ୍ପ, ପଥର ଓ କାଠ ଖୋଦେଇ, ଚାନ୍ଦୁଆ ଶିଳ୍ପ ସମେତ ବିଭିନ୍ନ ପାରମ୍ପରିକ କଳାକୃତି ଓଡ଼ିଶାର କାରିଗରମାନଙ୍କ ଅସାଧାରଣ ଦକ୍ଷତାର ପରିଚୟ ଦେଉଛି। ରୁପା ତାରକସି, ଢୋକ୍ରା ଢଳେଇ, ପଥର ଖୋଦେଇ ଓ ପାରମ୍ପରିକ ବୁଣାକାର୍ଯ୍ୟର ସଜୀବ ପ୍ରଦର୍ଶନ ଦର୍ଶକଙ୍କ ପାଇଁ ଅନ୍ୟତମ ଆକର୍ଷଣ ପାଲଟିଛି। ସେହିପରି ବ୍ଲକ୍ଚେନ୍ ଜ୍ଞାନକୌଶଳ ଆଧାରିତ ହସ୍ତତନ୍ତ ବୁଣାକାର୍ଯ୍ୟ ପାରମ୍ପରିକ ଶିଳ୍ପ ସହ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସମନ୍ୱୟକୁ ପ୍ରଦର୍ଶିତ କରୁଛି।
ମିଶନ ଶକ୍ତି ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ଆକର୍ଷଣୀୟ ପ୍ରଦର୍ଶନୀ କରାଯାଇଛି। ଏଥିରେ ସବାଇ ଘାସରୁ ପ୍ରସ୍ତୁତ ସାମଗ୍ରୀ, ଜନଜାତି ଅଳଙ୍କାର, ପେପର ମାଶେ ଶିଳ୍ପ, ମିଲେଟ୍ ଜାତୀୟ ଉତ୍ପାଦ, ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସ୍ଥାନ ପାଇଛି। ସେହିପରି ଓରମାସ୍ (ORMAS) ପକ୍ଷରୁ ଗ୍ରାମୀଣ ଉଦ୍ୟୋଗିତାର ସାମର୍ଥ୍ୟକୁ ପ୍ରଦର୍ଶନ କରୁଥିବା ସୁନାଘାସ ଶିଳ୍ପ, ମସଲା, ମିଲେଟ୍ ଉତ୍ପାଦ, ଆଚାର, ମହୁଲ ଜାତୀୟ ଉତ୍ପାଦ ଓ କତା ଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ହୋଇଛି। ଏହି ପ୍ରଦର୍ଶନୀ ମାଧ୍ୟମରେ ଅନ୍ତର୍ଭୁକ୍ତିମୂଳକ ଆର୍ଥିକ ବିକାଶ ଓ ସ୍ଥାୟୀ ଜୀବିକା ସୃଷ୍ଟିରେ ମହିଳା ଏବଂ ଗ୍ରାମୀଣ ସମ୍ପ୍ରଦାୟର ଅବଦାନକୁ ଉଜାଗର କରାଯାଇଛି।
ଓଡ଼ିଶାର ଜନଜାତି ଐତିହ୍ୟକୁ ମଧ୍ୟ ଏଠାରେ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି। ଗଣ୍ଡ ଓ ଲାଞ୍ଜିଆ ସଉରା ଚିତ୍ରକଳା, ସ୍ୱତନ୍ତ୍ର ଡଙ୍ଗରିଆ କନ୍ଧ ଶାଲ୍, ଲଘୁ ବନଜାତ ଦ୍ରବ୍ୟ, ମୂଲ୍ୟଯୁକ୍ତ ଜନଜାତି ଉତ୍ପାଦ ଓ କୋରାପୁଟ କଫି ମାଧ୍ୟମରେ ରାଜ୍ୟର ଆଦିବାସୀ ପରମ୍ପରାକୁ ପ୍ରଦର୍ଶିତ କରାଯାଇଛି। କୃଷିଜାତ ଦ୍ରବ୍ୟ ମଧ୍ୟରେ ମାଣ୍ଡିଆ ସମେତ ବିଭିନ୍ନ ମିଲେଟ୍, କଳା ଚାଉଳ, ପାରମ୍ପରିକ ଧାନ କିସମ, କାଜୁ, ମହୁ, ମସଲା ଏବଂ ମୂଲ୍ୟଯୁକ୍ତ ମିଲେଟ୍ ଉତ୍ପାଦ ସ୍ଥାନ ପାଇଛି। ଏହା ରାଜ୍ୟର ସ୍ଥାୟୀ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଥିବା ସମ୍ଭାବନାକୁ ଦର୍ଶାଉଛି। ଓମ୍ଫେଡ୍ (OMFED) ପକ୍ଷରୁ ବିଭିନ୍ନ ଦୁଗ୍ଧଜାତ ଦ୍ରବ୍ୟ ସହ ଜୈବିକ କନ୍ଧମାଳ ହଳଦୀ ପ୍ରଦର୍ଶିତ ହୋଇଛି। ଅନ୍ୟପକ୍ଷରେ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ରାଜ୍ୟର ସମୃଦ୍ଧ ଆଧ୍ୟାତ୍ମିକ, ସାଂସ୍କୃତିକ ଓ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଉପସ୍ଥାପନ କରାଯାଇଛି। ଏଥିରେ କୋଣାର୍କ ସୂର୍ଯ୍ୟମନ୍ଦିର, ପୁରୀ ଶ୍ରୀଜଗନ୍ନାଥ ଧାମ ଓ ଚିଲିକା ହ୍ରଦ ପ୍ରମୁଖ ଆକର୍ଷଣ ରହିଛି।
ଉତ୍ପାଦକ, ଉଦ୍ୟୋଗୀ, କ୍ରେତା, ରପ୍ତାନିକାରୀ, ନିବେଶକ ଓ ଶିଳ୍ପ ଜଗତର ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଆଲୋଚନା ଓ ବ୍ୟବସାୟିକ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ସ୍ୱତନ୍ତ୍ର ରପ୍ତାନି ଏବଂ ବିଜନେସ୍-ଟୁ-ବିଜନେସ୍ (B2B) ମଞ୍ଚ ସ୍ଥାପନ କରାଯାଇଛି। ଏହାଦ୍ୱାରା ବଜାର ସଂଯୋଗ ବୃଦ୍ଧି, ବ୍ୟବସାୟିକ ସହଭାଗିତାକୁ ପ୍ରୋତ୍ସାହନ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଓଡ଼ିଶାର ଉତ୍ପାଦଗୁଡ଼ିକ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି।
ଏହି ଉଦ୍ଘାଟନୀ ଉତ୍ସବରେ ସ୍ୱତନ୍ତ୍ର ଆବାସିକ ଆୟୁକ୍ତ ଋତୁ ଅରୋରା, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳ ଏବଂ ଅତିରିକ୍ତ ଆବାସିକ ଆୟୁକ୍ତ ସୁଚରିତା ଷଡଙ୍ଗୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି, ଉପନିର୍ଦ୍ଦେଶକ ତଥା ଆଇଆଇଟିଏଫ୍ ଓଡ଼ିଶା ପାଭିଲିୟନର ନୋଡାଲ ଅଧିକାରୀ ଅଶ୍ୱିନୀ ଭୋଇ, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଦୀପକ କୁମାର ସାହୁ, ସହକାରୀ ନିର୍ଦ୍ଦେଶକ (ସୋସିଆଲ ମିଡିଆ) ବିନାୟକ ମିଶ୍ର, ଏପିଆଇଓ ହରପ୍ରସାଦ ମହାପାତ୍ରଙ୍କ ସମେତ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାର ନୋଡାଲ ଅଧିକାରୀମାନେ ଯୋଗ ଦେଇଥିଲେ।
ଓଡ଼ିଶା ପାଭିଲିୟନ ନଭେମ୍ବର ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ସ୍ଥିତ ହଲ୍-୩ରେ ଦର୍ଶକଙ୍କ ପାଇଁ ଖୋଲା ରହିବ। ଏହି ଅବଧି ମଧ୍ୟରେ ଆଗନ୍ତୁକମାନେ ଓଡ଼ିଶାର ସାଂସ୍କୃତିକ ସମୃଦ୍ଧି, ପାରମ୍ପରିକ ଉତ୍କର୍ଷତା, ଉତ୍ପାଦନ କ୍ଷମତା ଓ ଉଦୀୟମାନ ବିକାଶ ସମ୍ଭାବନାକୁ ନିକଟରୁ ଜାଣିବାର ସୁଯୋଗ ପାଇବେ।
ଆଇଆଇଟିଏଫ୍-୨୦୨୬ରେ ଅଂଶଗ୍ରହଣ ମାଧ୍ୟମରେ ଓଡ଼ିଶା ଏକ ଏଭଳି ରାଜ୍ୟର ବିକାଶ ଗାଥା ଉପସ୍ଥାପନ କରୁଛି, ଯାହା ନିଜର ଗୌରବମୟ ଐତିହ୍ୟରୁ ପ୍ରେରଣା ଓ ଶକ୍ତି ଆହରଣ କରି ଏକ ସମୃଦ୍ଧ, ସମାବେଶୀ ଏବଂ ସ୍ଥାୟୀ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି।