ଶନିବାର, ଅକ୍ଟୋବର 10, 2026 | Loading Time...
ଶନିବାର, ଅକ୍ଟୋବର 10, 2026 | Loading Time...

ମୃତ୍ୟୁ ମୁଖରୁ ଛଡାଇ ଆଣିଲା ଉପସ୍ଥିତ ବୁଦ୍ଧି ଓ ସାହସ

ପ୍ରକାଶିତ: October 10, 2026, 5:01 PM | ଜାତୀୟ
ମୃତ୍ୟୁ ମୁଖରୁ ଛଡାଇ ଆଣିଲା ଉପସ୍ଥିତ ବୁଦ୍ଧି ଓ ସାହସ

ମୃତ୍ୟୁ ମୁଖରୁ ଛଡାଇ ଆଣିଲା ଉପସ୍ଥିତ ବୁଦ୍ଧି ଓ ସାହସ

 

ମୃତ୍ୟୁକୁ ମାତ୍ ଦେଲେ ଯୁବତୀ! ସ୍କୁଟରକୁ ଧକ୍କା ଦେଇ ଉପରେ ଚଢ଼ିବାକୁ ବସିଥିଲା ବାଲି ବୋଝେଇ ଟ୍ରକ୍

 

ମୃତ୍ୟୁ ଯେମିତି ଆଖି ସାମ୍ନାରେ ଛିଡ଼ା ହୋଇଥିଲା! ଦ୍ରୁତଗତିରେ ଆସୁଥିବା ବାଲି ବୋଝେଇ ଟ୍ରକ୍‌ର ଧକ୍କାରେ ସ୍କୁଟରରୁ ଛିଟିକି ପଡ଼ିଲେ ଯୁବତୀ। ଚଳନ୍ତା ଟ୍ରକ୍‌ର ଚକ ତଳେ ପଡ଼ିବାକୁ ଯାଉଥିବା ବେଳେ ଅଦ୍ଭୁତ ସାହସ ଓ ଉପସ୍ଥିତ ବୁଦ୍ଧି ଦେଖାଇ ବମ୍ପରକୁ ଧରି ନିଜ ଜୀବନ ବଞ୍ଚାଇଦେଲେ। ମହାରାଷ୍ଟ୍ରର ଶ୍ରୀରାମପୁର ସହରର ବେଲାପୁର ରୋଡ୍‌ରେ ଘଟିଥିବା ଏହି ଭୟାବହ ଦୁର୍ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

 

ସୂଚନା ଅନୁଯାୟୀ, ବେଲାପୁର ରୋଡ୍‌ରେ ବାଲି ବୋଝେଇ ଏକ ଦ୍ରୁତଗାମୀ ଟ୍ରକ୍‌ ମୋଡ଼ ନେଉଥିବା ସମୟରେ ସାମ୍ନା ପଟୁ ଆସୁଥିବା ଏକ ସ୍କୁଟରକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ସ୍କୁଟରଟି ରାସ୍ତାରେ ପଡ଼ିଯିବା ସହ ଏହାକୁ ଚଳାଉଥିବା ଯୁବତୀ ଛିଟିକି ଉପରକୁ ଉଠିଯାଇଥିଲେ।

 

ସବୁଠାରୁ ଭୟଙ୍କର କଥା ହେଉଛି, ଧକ୍କା ଦେବା ପରେ ମଧ୍ୟ ଟ୍ରକ୍‌ଟି ସମ୍ପୂର୍ଣ୍ଣ ଅଟକି ନଥିଲା। ଯୁବତୀ ଜଣକ ଟ୍ରକ୍‌ର ସାମ୍ନାରେ ତଳେ ପଡ଼ିବାକୁ ଯାଉଥିବା ବେଳେ ତତ୍ପରତା ଦେଖାଇ ଚଳନ୍ତା ଟ୍ରକ୍‌ର ବମ୍ପରକୁ ଧରି ପକାଇଥିଲେ। ଫଳରେ ଟ୍ରକ୍‌ ଚକ ତଳେ ଚାପି ହେବାରୁ ସେ ଅଳ୍ପକେ ବର୍ତ୍ତିଯାଇଥିଲେ। ଏହାପରେ ନିଜେ ଉଠି ସ୍କୁଟରକୁ ରାସ୍ତାକଡ଼କୁ ନେଇଥିଲେ। ଯୁବତୀଙ୍କ ଏହି ସାହସିକ ପଦକ୍ଷେପ ଏକ ବଡ଼ ଅଘଟଣକୁ ଟାଳିଦେଇଥିବା କୁହାଯାଉଛି।

 

ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଆହତ ଯୁବତୀଙ୍କୁ ସହାୟତା କରିବା ପରିବର୍ତ୍ତେ ତାଙ୍କ ସହ ଯୁକ୍ତିତର୍କ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ଆଖପାଖର ଲୋକେ ସହାୟତା ପାଇଁ ଦୌଡ଼ି ଆସିବାରୁ ଏବଂ ପରିସ୍ଥିତିର ଗମ୍ଭୀରତା ବୁଝିବା ପରେ ଚାଳକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

 

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଏହି ଟ୍ରକ୍‌ ମହାରାଷ୍ଟ୍ରର ବୈଜାପୁର ତାଲୁକା ଅନ୍ତର୍ଗତ ମହାଲଗାଓଁରେ ହୋଇଥିବା ବାଲି ନିଲାମ ସହ ଜଡ଼ିତ ଥିଲା। ଆଶ୍ଚର୍ଯ୍ୟର କଥା, ଟ୍ରକ୍‌ରେ କୌଣସି ନମ୍ବର ପ୍ଲେଟ୍‌ ମଧ୍ୟ ନଥିବା ଅଭିଯୋଗ ହୋଇଛି।

 

ସ୍ଥାନୀୟ ଅଞ୍ଚଳରେ ବିନା ଅନୁମତିରେ ଏବଂ ଅତ୍ୟଧିକ ବେଗରେ ବାଲି ପରିବହନ କରୁଥିବା ଗାଡ଼ିଗୁଡ଼ିକର ଯାତାୟାତ ବଢ଼ୁଥିବାରୁ ଜନଅସନ୍ତୋଷ ତୀବ୍ର ହେଉଛି। ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଏବଂ ବିନା ନମ୍ବର ପ୍ଲେଟ୍‌ରେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀରାମପୁର ତାଲୁକା ପୁଲିସକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

 

ଏହି ଘଟଣା ପୁଣିଥରେ ବେଆଇନ ବାଲି ପରିବହନ, ଦ୍ରୁତଗତି ଓ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏଭଳି ଗାଡ଼ି ଚଳାଚଳ ଉପରେ ପ୍ରଶାସନ ତୁରନ୍ତ ଅଙ୍କୁଶ ଲଗାଇବା ସହ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।