ଭାରତୀୟ ସେନାର ବଳ ଓ ବୀରତ୍ବର ପ୍ରମାଣ ଅପରେସନ୍‌ ସିନ୍ଦୂର

Published on: 2025-05-12 14:55:00
ଭାରତୀୟ ସେନାର ବଳ ଓ ବୀରତ୍ବର ପ୍ରମାଣ ଅପରେସନ୍‌ ସିନ୍ଦୂର

ଅପରେସନ୍‌ ସିନ୍ଦୂର ବେଳେ ଭାରତୀୟ ବାୟୁ ସେନାର ବଳ ଓ ବୀରତ୍ବର ପ୍ରମାଣ ମିଳିଛି ସମଗ୍ର ବିଶ୍ୱକୁ।


 ‘ଅପରେସନ ସିନ୍ଦୂର’ ଆତଙ୍କୀଙ୍କ ଖେଳ ଖତମ୍ କରି ପହଲଗାମ୍ ହମଲାର ପ୍ରତିଶୋଧ ନେଇଛି । ଭାରତୀୟ ସେନା ଖୋଜି ଖୋଜି ଆତଙ୍କୀଙ୍କୁ ମାରିଛନ୍ତି । ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରି ଶିବିର ଉଡାଇ ଦେଇଛନ୍ତି ଆମ ଯବାନମାନେ ଆଉ ଏଥିସହ ଭାରତ ନେଇଛି ପହଲଗାମ୍ ହମଲାର ପ୍ରତିଶୋଧ ।


ଆତଙ୍କୀଙ୍କ ଉପରେ ଭାରତ ଶକ୍ତ ପ୍ରହାର କରି ପାକ୍ ମାଟିରେ ଶିବିର ଛାରଖାର କରିବା ପରେ ପାକିସ୍ତାନ ଥରହର ହୋଇଛି । ‘ଅପରେସନ ସିନ୍ଦୂର’ ଜରିଆରେ ୯ଟି ଟାର୍ଗେଟ୍ କରିଛି । ଯେଉଁଥିରେ ଶତାଧିକ ଆତଙ୍କୀ ସଫା ହୋଇଥିବା ସୂଚନା ମିଳିଛି । ତେବେ ଏହି ଆକ୍ରମଣ ଭାରତ ମାଟିରୁ କେବଳ ଆତଙ୍କ ଶିବିରକୁ କରାଯାଇଥିବା ବେଳେ ପାକିସ୍ତାନର ସେନା କ୍ୟାମ୍ପ କିମ୍ବା ନାଗରିକଙ୍କ ଉପରେ କରାଯାଇନଥିବା ସ୍ପଷ୍ଟ କରିଛି ସେନା ।


ତେବେ ଅଧ ରାତିରେ ସୁଖୋଇ-ରାଫେଲରୁ ଦିଆଗଲା ଆତଙ୍କୀଙ୍କୁ ରକ୍ତର ଜବାବ । ଏୟାର ଷ୍ଟ୍ରାଇକରେ ସାମିଲ ଥିଲେ ୮ଟି ସୁଖୋଇ, ୪ଟି ରାଫେଲ । ବ୍ରହ୍ମୋସ୍ ମିସାଇଲ ମାଡ଼ରେ ମାଟିରେ ମିଶିଲା ଆତଙ୍କୀ ଆଡ୍ଡା । ସେପଟେ ଭାରତର ଆକ୍ରମଣ ପରେ ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । ସବୁଠି ଭୟ ଆତଙ୍କର ବାତାବରଣ । ଲାହୋର ଏୟାରପୋର୍ଟରେ ଏମର୍ଜେନ୍ସି ଘୋଷଣା ହୋଇଛି । ଏପଟେ ଶ୍ରୀନଗର ବିମାନବନ୍ଦରକୁ ମଧ୍ୟ ଯାତ୍ରୀଙ୍କ ପାଇଁ ବନ୍ଦ କରାଯାଇଛି ।


ପହଲଗାମ୍ ପ୍ରତିଶୋଧ ନେଇ ଭାରତ ମୃତକଙ୍କ ପରିବାରକୁ ନ୍ୟାୟ ଦେଇଥିବା ବେଳେ ଭାରତବାସୀ ଏକ ନୂଆ ସକାଳ ଦେଖିଛନ୍ତି । ରାତି ପାହିବା ଆଗରୁ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କୁ ନିପାତ କରି ପାକିସ୍ତାନକୁ ପାନେ ଦେଇଛି ଭାରତ । 



ଆତଙ୍କବାଦ ବିରୋଧରେ ଥିଲା ଅପରେସନ ସିନ୍ଦୂର ଓ ତାହା ୧୦୦ ପ୍ରତିଶତ ସଫଳ ହୋଇଛି । ଏଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ଭାରତୀୟ ସେନା କହିଛି । 


ରବିବାର ଭାରତର ତିନି ସେନା ଦ୍ୱାରା ଅପରେସନ ସିନ୍ଦୂର ଉପରେ ଏକ ପ୍ରେସ ବ୍ରିଫିଂ କରାଯାଇଥିଲା। ଭାରତୀୟ ସେନାର ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଅପରେସନ ସିନ୍ଦୂର ବିଷୟରେ କହିଛନ୍ତି, \\\\\\\"୨୨ ଏପ୍ରିଲରେ ପହଲଗାମରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ ଅଯଥାରେ ନିର୍ମମଭାବେ ହତ୍ୟା କରାଯାଇଥିବା ସଂପର୍କରେ ଆପଣମାନେ ସମସ୍ତେ ପରିଚିତ। ଅପରେସନ ସିନ୍ଦୂର ଆତଙ୍କବାଦର ଅପରାଧୀ ଏବଂ ଯୋଜନାକାରୀମାନଙ୍କୁ ଦଣ୍ଡ ଦେବା ଏବଂ ସେମାନଙ୍କର ଆତଙ୍କ ଭିତ୍ତିଭୂମିକୁ ନଷ୍ଟ କରିବାର ସ୍ପଷ୍ଟ ସାମରିକ ଉଦ୍ଦେଶ୍ୟ ସହିତ ସଂକଳ୍ପିତ ହୋଇଥିଲା। ସେନା ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଛି। ଅପରେସନ ସିନ୍ଦୂର ୧୦୦ ପ୍ରତିଶତ ସଫଳ ହୋଇଛି । ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ସଠିକତାର ସହିତ ଟାର୍ଗେଟ କରାଯାଇଛି। ୭ ମଇ ସକାଳେ, ସେନା ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଏକ ଅପରେସନ ଆରମ୍ଭ କରିଥିଲା ଏବଂ ୧୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା। ମୃତକଙ୍କ ମଧ୍ୟରେ ୟୁସୁଫ ଆଝାର, ଅବଦୁଲ ମଲ୍ଲିକ ରୌଫ, ମୁଦାସିର ଅହମ୍ମଦ ପରି କୁଖ୍ୟାତ ଆତଙ୍କବାଦୀ ଥିଲେ । ସେହିପର ୬-୭ ମଇର ଅପରେସନରେ ପାକିସ୍ତାନୀ ସେନାର ୩୦ରୁ ୪୦ ଶୀର୍ଷ ଅଧିକାରୀମାନେ ମଧ୍ୟ ନିହତ ହୋଇଥିଲେ।


୧୦ ତାରିଖରେ ପାକିସ୍ତାନ ସେନାର ଡିଜିଏମଓ ଯୁଦ୍ଧ ବିରତି ପାଇଁ ଅନୁରୋଧ କରିଥିଲେ ଓ ଭାରତୀୟ ସେନା ତାହାକୁ ଗ୍ରହଣ କରିଥିଲା । ତେବେ ଆଶଙ୍କା ଅନୁସାରେ ପାକିସ୍ତାନ ଏହାର କିଛି ସମୟ ପରେ ଏହି ବୁଝାମଣାର ଉଲ୍ଲଙ୍ଘନ କରିଥିଲା । ଏହାର ଦୃଢ ଜବାବ ଦିଆଯାଇଥିଲା । ତେବେ ପରେ ହଟଲାଇନରେ ପାକିସ୍ତାନ ଡିଜିଏମଓଙ୍କ ସହ କଥା ହୋଇ ଏହି ପ୍ରସଙ୍ଗ ଉଠାଯାଇଥିଲା । ସେପଟେ ପାକିସ୍ତାନ ପଟୁ ଯେକୌଣସି ଦୁଃସାହାସର ଜବାବ ପାଇଁ ସେନା କମାଣ୍ଡରମାନଙ୍କୁ ସ୍ବାଧୀନତା ଦିଆଯାଇଛି ବୋଲି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି ।

                   
Related Articles
Back to Home