ମହାରାଷ୍ଟ୍ରରେ ୧୪ଟି ନୂତନ କୋଭିଡ୍-୧୯ ମାମଲା, ଜଣଙ୍କର ମୃତ୍ୟୁ
ସମ୍ପୂର୍ଣ୍ଣ ଯାଇନାହିଁ କୋଭିଡ୍। ଏବେ ମହାରାଷ୍ଟ୍ରରେ ୧୪ଟି ନୂତନ କୋଭିଡ୍-୧୯ ମାମଲା ରେକର୍ଡ ହୋଇଛି, ଯାହା ଫଳରେ ଚଳିତ ବର୍ଷ ରାଜ୍ୟରେ ଭାଇରାଲ୍ ସଂକ୍ରମଣ ସଂଖ୍ୟା ୨,୫୪୭ ହୋଇଛି। କୋଭିଡ୍-୧୯ରେ ନାଗପୁରରେ ଜଣଙ୍କ ମୃତ୍ୟୁ ରିପୋର୍ଟ ହେବାପରେଇ ଜାନୁଆରୀ ମାସରୁ ବର୍ତ୍ତମାନ ସୁଦ୍ଧା ମୋଟ ମୃତ୍ୟୁ ସଂଖ୍ୟା ୩୯ରେ ପହଞ୍ଚିଛି। ତେବେ ମୃତକ ଜଣକ ଅନ୍ୟ ରୋଗରେ ପୀଡିତ ଥିଲେ ବୋଲି କୁହାଯାଉଛି।
ବିବୃତ୍ତିରେ କୁହାଯାଇଛି ଯେ ଜାନୁଆରୀ ୧ ତାରିଖରୁ ରାଜ୍ୟରେ ମୋଟ ୩୯ ଜଣ ରୋଗୀ ଭାଇରସରେ ପ୍ରାଣ ହରାଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୩୮ ଜଣଙ୍କ ପୂର୍ବ ରୋଗ (ପୂର୍ବରୁ ଥିବା ସ୍ୱାସ୍ଥ୍ୟ ଅବସ୍ଥା ଯାହା ଗମ୍ଭୀର ରୋଗର ବିପଦ ବଢ଼ାଇପାରେ) ଥିଲା।
ନୂତନ କୋଭିଡ୍-୧୯ ପଜିଟିଭ୍ ମାମଲା ମଧ୍ୟରୁ ୪ ଜଣ ମୁମ୍ବାଇର, ଜଣେ ଥାନେ ମ୍ୟୁନିସିପାଲ୍ କର୍ପୋରେସନ୍ର, ଜଣେ ପୁଣେର, ୭ ଜଣ ପୁଣେ ମ୍ୟୁନିସିପାଲ୍ର ଏବଂ ଜଣେ ନାଗପୁରର।
ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଜାନୁଆରୀ ୧ ତାରିଖରୁ ରାଜ୍ୟ ସାରା ୩୧,୮୦୪ ଜଣ କୋଭିଡ୍-୧୯ ପରୀକ୍ଷା କରିଛନ୍ତି, ଆଜି ପର୍ଯ୍ୟନ୍ତ ୨,୪୩୬ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏହି ସମୟରେ, ମୁମ୍ବାଇରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୯୯୮ଟି ମାମଲା ରିପୋର୍ଟ ହୋଇଛି, ଯେଉଁଥିରେ ଜୁନ୍ ମାସରେ ୫୫୧ ଏବଂ ଜୁଲାଇରେ ୧୦ଟି ମାମଲା ରହିଛି।