ପୀତବାସ ହତ୍ୟା ଘଟଣା: ନିର୍ବାଚନୀ ମାମଲା ଉପରେ ମନ୍ତବ୍ୟ ଦେଇ ଅଡୁଆରେ ବ୍ରହ୍ମପୁର ଏସ୍ପି
ପୀତବାସ ହତ୍ୟା ମାମଲାରେ ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ନିର୍ବାଚନୀ ମାମଲା ପ୍ରସଙ୍ଗରେ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି
ବ୍ରହ୍ମପୁର ଏସ୍ପି ସରଭଣା ବିବେକ ଏମ୍। ମନ୍ତବ୍ୟକୁ ନେଇ ବ୍ରହ୍ମପୁର ଏସ୍ପିଙ୍କୁ ଜବାବ ତଲବ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଏଭଳି ଦାୟିତ୍ଵହୀନ ମନ୍ତବ୍ୟକୁ କାହିଁକି ଅଦାଲତ ଅବମାନନା ଭାବେ ଧରାନଯିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପ୍ରଶ୍ନ କରିଛନ୍ତି। ଆସନ୍ତା ୭ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ପୀତବାସ ହତ୍ୟା ମାମଲାରେ ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ଏସ୍ପି ନିର୍ବାଚନ ପ୍ରସଙ୍ଗ ଉଠାଇଥିଲେ। ଏହି ଘଟଣାରେ ବିକ୍ରମ ପଣ୍ଡା ଓ ଶିବ ଶଙ୍କର ଦାସଙ୍କ ମଧ୍ୟରେ କମନ୍ ଲିଙ୍କ ଥିବା ଏସ୍ପି ସରଭଣା ବିବେକ କହିଥିଲେ। ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଦାୟର ନିର୍ବାଚନୀ ମାମଲା କମନ୍ ଲିଙ୍କ ଥିଲା କହିଥିଲେ। ଶିବ ଶଙ୍କର ମାମଲା କରିଥିଲେ, ବିକ୍ରମ ଖର୍ଚ୍ଚ ବହନ କରୁଥିଲେ ବୋଲି ସେ କହିଥିଲେ।
କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନଭେମ୍ବର ୭ ସୁଦ୍ଧା ହାଇକୋର୍ଟରେ ନିଜ ଉତ୍ତର ରଖିବେ ସରଭଣା ବିବେକ। ଖଣ୍ଡପୀଠ ବ୍ରହ୍ମପୁର ଆସନ ସଂପର୍କିତ ନିର୍ବାଚନୀ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଶିବଶଙ୍କର ଦାଶଙ୍କ ଘରେ କାମ କରୁଥିବା ଜଣେ ସହାୟକଙ୍କ ନାଁରେ ଏକ ହତ୍ୟା ମାମଲା ଦାୟର କରାଯାଇଥିଲା। ବାସ୍ତବରେ ଶିବଶଙ୍କର ଦାଶ ନିଜେ ଏହି ମାମଲା ଦାୟର କରିଥିଲେ। ମାମଲା ପାଇଁ ଆଇନଗତ ଖର୍ଚ୍ଚ ଓ ଆଇନଜୀବୀଙ୍କ ଫି’ ବିକ୍ରମ ପଣ୍ଡା ବହନ କରୁଥିଲେ ବୋଲି ଏସ୍ପି କହିଥିବା ଏହି ଖବରରେ ଉଲ୍ଲେଖ କରାଯାଇଥିଲା।