ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରୟ ବିରୋଧରେ ଆବେଦନ ସୁପ୍ରିମକୋର୍ଟରେ

ପ୍ରକାଶିତ: September 2, 2025, 2:41 PM | ବ୍ୟବସାୟ
ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରୟ ବିରୋଧରେ ଆବେଦନ ସୁପ୍ରିମକୋର୍ଟରେ


୨୦ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରୟ ବିରୋଧରେ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଆବେଦନରେ କୁହାଯାଇଛି, ଅଧିକାଂଶ ଯାନ ଇଥାନଲ୍-ମିଶ୍ରିତ ପେଟ୍ରୋଲ (EBP-20) ପାଇଁ ଉପଯୁକ୍ତ ନୁହେଁ, କିନ୍ତୁ ଗ୍ରାହକଙ୍କୁ ଏହା କିଣିବାକୁ ବାଧ୍ୟ କରାଯାଉଛି। ମାତ୍ର କେନ୍ଦ୍ର ସରକାର ଏହାକୁ ଦୃଢ଼ ବିରୋଧ କରି କହିଥିଲେ, ଏହି ନୀତି ବୃହତର ସ୍ୱାର୍ଥରେ କରାଯାଇଛି, ଯାହା ଆଖୁ ଉତ୍ପାଦନକାରୀ ଚାଷୀମାନଙ୍କୁ ଲାଭ ଦେଉଛି।


ଆବେଦନକାରୀ ଅକ୍ଷୟ ମାଲହୋତ୍ରାଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଓକିଲ ଶାଦାନ ଫରାସତ ଯୁକ୍ତି କରିଥିଲେ, ୨୦୨୩ ପୂର୍ବରୁ ଭାରତରେ ନିର୍ମିତ ଯାନ ଇଥାନଲ୍-ମିଶ୍ରିତ ପେଟ୍ରୋଲ ପାଇଁ ଉପଯୁକ୍ତ ନୁହେଁ। ଏହି ପେଟ୍ରୋଲ କେବଳ ସେମାନଙ୍କ ଗାଡ଼ିର ମାଇଲେଜ୍ ହ୍ରାସ କରୁନାହିଁ, ବରଂ ଇଞ୍ଜିନ୍ ଉପରେ ଖରାପ ପ୍ରଭାବ ପକାଇବାର ସମ୍ଭାବନା ମଧ୍ୟ ରହିଛି। ପେଟ୍ରୋଲ ପମ୍ପଗୁଡ଼ିକରେ ଇଥାନଲ୍-ମୁକ୍ତ ପେଟ୍ରୋଲ ମଧ୍ୟ ବିକ୍ରି ହେବା ଉଚିତ ଯାହା ଦ୍ୱାରା ଲୋକମାନେ ସେମାନଙ୍କ ଗାଡ଼ି ଅନୁସାରେ ଇନ୍ଧନ କିଣିପାରିବେ।


କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍ ଆର ଭେଙ୍କଟରମଣି ଆବେଦନର ଦୃଢ଼ ବିରୋଧ କରିଥିଲେ। ସେ ଯୁକ୍ତି କରିଛନ୍ତି, ଏହି ନୀତି ବ୍ୟାପକ ସ୍ୱାର୍ଥରେ କରାଯାଇଛି। ଆଖୁ ଉତ୍ପାଦନକାରୀ ଚାଷୀମାନେ ଏଥିରୁ ଉପକୃତ ହେଉଛନ୍ତି। କୋର୍ଟ ଏହି ଆବେଦନକୁ କେବଳ ଜଣେ ବ୍ୟକ୍ତିଙ୍କ ଆବେଦନ ଭାବରେ ବିଚାର କରିବା ଉଚିତ୍ ନୁହେଁ। ଇଥାନଲ୍-ମିଶ୍ରିତ ପେଟ୍ରୋଲ ଉପରେ ନିଷେଧ ଦାବି କରିବା ପାଇଁ ଏକ ବଡ଼ ଲବି ସକ୍ରିୟ ଅଛି। କିଛି ସମୟ ଧରି ଉଭୟ ପକ୍ଷଙ୍କୁ ଶୁଣିବା ପରେ, ମୁଖ୍ୟ ବିଚାରପତି ଭୂଷଣ ରାମକୃଷ୍ଣ ଗଭାଇ ଏବଂ ବିଚାରପତି କେ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଆବେଦନକୁ ଖାରଜ କରିଦେଇଥିଲେ।


E20 ଇନ୍ଧନ କ’ଣ?

ଇଥାଇଲ୍ ଆଲକୋହଲ୍ କିମ୍ବା ଇଥାନଲ୍ (C₂H₅OH) କିମ୍ବା E20 ଏକ ଜୈବ ଇନ୍ଧନ, ଯାହା ଚିନିକୁ ଫର୍ମେଣ୍ଟ କରି ତିଆରି କରାଯାଏ। ଏଥିରେ ୮୦ ପ୍ରତିଶତ ପେଟ୍ରୋଲ୍ ଏବଂ ୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ ହୋଇଥାଏ। E20 ଇନ୍ଧନ ବ୍ୟବହାର କାର୍ବନ ନିର୍ଗମନକୁ ହ୍ରାସ କରିବ ଏବଂ ଆଖୁ ଚାଷୀମାନେ ମଧ୍ୟ ଏଥିରୁ ଲାଭ ପାଇବେ କାରଣ ଏହାକୁ ତିଆରି କରିବା ପାଇଁ ଚିନି ବ୍ୟବହାର କରାଯାଏ। ସରକାର ୨୦୨୩ ମସିହାରୁ ଧୀରେ ଧୀରେ ଜୈବ ଇନ୍ଧନ କାର୍ଯ୍ୟକାରୀ କରିବା ଆରମ୍ଭ କରିଛନ୍ତି। ତା’ପରେ E5 ଏବଂ E10 ଭଳି ଜୈବ ଇନ୍ଧନ ମଧ୍ୟ ପ୍ରଚଳନ କରାଯାଇଥିଲା, ଯାହାକୁ ପୁରୁଣା ଯାନବାହନ ପାଇଁ ଅଧିକ ଉପଯୁକ୍ତ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଦେଶର ସମସ୍ତ ୯୦ ହଜାର ଇନ୍ଧନ ଷ୍ଟେସନରୁ ସେଗୁଡ଼ିକୁ ହଟାଇ ଦିଆଯାଇଛି।


ଜୀବାଶ୍ମ ଇନ୍ଧନର ବ୍ୟବହାର ହ୍ରାସ କରିବା ପାଇଁ ସରକାର ପେଟ୍ରୋଲ ସହିତ E20 ଇନ୍ଧନ ମିଶ୍ରଣ କରିବା ପାଇଁ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ (EBP) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ତଥାପି, E20 ଇନ୍ଧନ କେବଳ ସେହି ଦୁଇଚକିଆ ଯାନ କିମ୍ବା କାର ପାଇଁ ଉପଯୁକ୍ତ ଯାହା ୨୦୨ ୩ ପରେ ଅଛି। ଏହା ପୁରୁଣା ଯାନବାହନରେ ସମସ୍ୟା ସୃଷ୍ଟି କରିପାରେ।