ବୁଧବାର, ଅଗଷ୍ଟ 5, 2026 | Loading Time...
ବୁଧବାର, ଅଗଷ୍ଟ 5, 2026 | Loading Time...

ବିଦେଶୀଙ୍କ ପାଇଁ ଭାରତ ଧର୍ମଶାଳା ନୁହେଁ: ସୁପ୍ରିମକୋର୍ଟ

ପ୍ରକାଶିତ: May 20, 2025, 9:04 AM | ଭ୍ରମଣ
ବିଦେଶୀଙ୍କ ପାଇଁ ଭାରତ ଧର୍ମଶାଳା ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦ା୫: ବେଆଇନ କାର୍ଯ୍ୟକଳାପ ପ୍ରତିକାର ଆଇନ (ୟୁଏପିଏ)ରେ ୭ ବର୍ଷ ଜେଲଦଣ୍ଡ ଭୋଗିବା ପରେ ଭାରତରେ ରହିବାକୁ ଚାହୁଁଥିବା ଜଣେ ଶ୍ରୀଲଙ୍କା ନାଗରିକଙ୍କ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ୧୪୦ କୋଟି ଲୋକସଂଖ୍ୟାକୁ ନେଇ ଯୁଝୁଥିବା ଦେଶ ବିଦେଶୀ ନାଗରିକଙ୍କ ପାଇଁ ‘ଧର୍ମଶାଳା’ ହୋଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ଶ୍ରୀଲଙ୍କାର ବିଚ୍ଛିନ୍ନତାବାଦୀ ସଂଗଠନ ଲିବରେଶନ ଟାଇଗର୍ସ ଅଫ୍‌ ତାମିଲ ଇଲମ୍‌ (ଏଲ୍‌ଟିଟିଇ) ସହ ସମ୍ପୃକ୍ତ ଥିବା ସେଠାରେ ଜଣେ ତାମିଲଙ୍କୁ ୨୦୧୫ରେ ଗିରଫ କରାଯାଇଥିଲା। ୨୦୧୮ରେ ତାମିଲନାଡୁ ଅଦାଲତ ତାଙ୍କୁ ୟୁଏପିଏ ଆଇନରେ ଦୋଷୀସାବ୍ୟସ୍ତ କରିବା ସହ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ୨୦୨୨ରେ ମାଡ୍ରାସ ହାଇକୋର୍ଟ ଦଣ୍ଡାଦେଶକୁ ୭ ବର୍ଷକୁ ହ୍ରାସ କରିବା ସହ ଦଣ୍ଡ ଶେଷ ହେବା ପରେ ତାଙ୍କୁ ତାମିଲ ଶରଣାର୍ଥୀ ଶିବିରରେ ରଖାଯିବ ଏବଂ ଯଥାଶୀଘ୍ର ସମ୍ଭବ ଦେଶରୁ ବିଦା କରିବାକୁ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ଓ ପିଲା ଭାରତରେ ରହିଥିବାରୁ ଜେଲଦଣ୍ଡ ଅବଧି ଶେଷ ହେବା ପରେ ସେ ଏଠାରେ ରହିବାକୁ ଚାହୁଁଥିବା ତାଙ୍କ ଓକିଲ ଅଦାଲତଙ୍କୁ ଜଣାଇଥିଲେ। ତେବେ ଭାରତରେ ରହିବାର ତାଙ୍କର ଅଧିକାର ନାହିଁ ବୋଲି ଜଷ୍ଟିସ୍‌ ଦୀପଙ୍କର ଦତ୍ତା ଏବଂ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ କହିବା ସହ ସାରା ବିଶ୍ୱର ଶରଣାର୍ଥୀମାନଙ୍କୁ ଆଶ୍ରୟ ଦେବା ପାଇଁ ଭାରତ ଏକ ଧର୍ମଶାଳା କି ବୋଲି ପ୍ରଶ୍ନ କରିଥିଲେ। ତେବେ ଏଲ୍‌ଟିଟିଇ ସହ ସମ୍ପୃକ୍ତି ଯୋଗୁ ଶ୍ରୀଲଙ୍କା ଫେରିବା ତାଙ୍କ ପାଇଁ ବିପଜ୍ଜନକ ବୋଲି ଓକିଲ କହିବାରୁ ଅନ୍ୟ କୌଣସି ଦେଶକୁ ଯାଇପାର ବୋଲି ଖଣ୍ଡପୀଠ କହିଥିଲେ। ସୂଚନାଯୋଗ୍ୟ, ମ୍ୟାନ୍‌ମାରକୁ ବିଦାଦେବାକୁ ଥିବା ରୋହିଙ୍ଗ୍ୟା ମୁସଲମାନମାନଙ୍କୁ ଭାରତରେ ରହିବା ପାଇଁ ହୋଇଥିବା ଆବେଦନକୁ ଗତ ୮ ତାରିଖରେ ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ଦତ୍ତା ଏବଂ ଏନ୍‌. କୋଟିଶ୍ୱର ସିଂଙ୍କ ଖଣ୍ଡପୀଠ ଖାରଜ କରିଦେବା ସହ ଅନୁରୂପ ପ୍ରଶ୍ନ କରିଥିଲେ। ଭାରତରେ ବସବାସ କରିବା ଅଧିକାର କେବଳ ଭାରତୀୟ ନାଗରିକଙ୍କର। ଏହା ବିଦେଶୀଙ୍କ ପାଇଁ ଉପଲବ୍ଧ ନୁହେଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଦେଇଥିଲେ।