ଛାଡ଼ିଲେନି ଟ୍ରମ୍ପ: ଭିଡ଼ିଲେ ୨୫% ଟାରିଫ୍
ନୂଆଦିଲ୍ଲୀ: ଅଗଷ୍ଟ ୧ ତାରିଖରୁ ଭାରତରୁ ଆମେରିକା ଆମଦାନୀ କରୁଥିବା ସମସ୍ତ ସାମଗ୍ରୀ ଉପରେ ୨୫% ଅଧିକ ଶୁଳ୍କ ଲାଗୁ କରିବ। ଏହା ସାଙ୍ଗକୁ ଜରିମାନା ମଧ୍ୟ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରୁଷ ସହିତ ଭାରତର ଚାଲିଥିବା ବାଣିଜ୍ୟ, ବିଶେଷକରି ତୈଳ ଏବଂ ଅସ୍ତ୍ରଶସ୍ତ୍ର ସହିତ ଜଡିତ ଏକ ଅନିର୍ଦ୍ଦିଷ୍ଟ ଜରିମାନା ବିଷୟରେ ମଧ୍ୟ ଟ୍ରମ୍ପ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ଉପରେ ଚାଲିଥିବା ଆଲୋଚନା ବିଫଳ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏନେଇ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ କହିଛି, ଭାରତ ଆମେରିକା ସହିତ ଏକ ନିରପେକ୍ଷ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା କରିବାକୁ ପ୍ରତିବଦ୍ଧ। ଏହି ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ମାସ ମାସ ଧରି ଚାଲିଛି। ମନ୍ତ୍ରାଳୟ ପକ୍ଷରୁ ବୁଧବାର ସନ୍ଧ୍ୟାରେ ଜାରି ଏକ ବିବୃତ୍ତିରେ କୁହାଯାଇଛି, ଭାରତ ସରକାର ଆମେରିକା ରାଷ୍ଟ୍ରପତିଙ୍କ ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ବିବୃତ୍ତିକୁ ଗୁରୁତ୍ଵର ସହ ଗ୍ରହଣ କରିଛନ୍ତି।
ଏକ ନିରପେକ୍ଷ, ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ପାଇଁ ଗତ କିଛି ମାସ ଧରି ଆମେରିକା ସହିତ ଭାରତର ଆଲୋଚନା ଚାଲିଥିଲା। ସରକାର ଦେଶର ଚାଷୀ, ଉଦ୍ୟୋଗୀ, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ସ୍ୱାର୍ଥ ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେଉଥିବା କହିଛନ୍ତି। ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଭାରତ ସରକାର କହିଛନ୍ତି।