ଏଣିକି ଜେଏନୟୁରେ କୁଳପତି ବଦଳରେ କୁଳଗୁରୁ

ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ବିଶ୍ୱବିଦ୍ୟାଳୟର କୁଳପତି ବଦଳରେ ନୂଆ ନାଁ କୁଳଗୁରୁ ବ୍ୟବହାର କରାଯିବ। ଏହି ପରିବର୍ତ୍ତନ ପଛରେ ଏକ ଚିନ୍ତାଧାରା ଓ ପରମ୍ପରା ଜଡ଼ିତ ରହିଛି। ଏହି ନିଷ୍ପତ୍ତି ପଛରେ ଲିଙ୍ଗ ଗତ ସମାନତା ଓ ଭାରତୀୟ ଶୈକ୍ଷିକ ପରମ୍ପରା ଜଡ଼ିତ ରହିଛି। କୁଳପତି ଅର୍ଥ ହେଉଛି କୁଳର ପତି ଅର୍ଥାତ ପରିଵାରର ମୁଖ୍ୟ। ଏହା ପୁରୁଷ ପ୍ରଧାନ ଚିନ୍ତାଧାରାର ପରିପ୍ରକାଶ। କିନ୍ତୁ କୁଳଗୁରୁ ଶବ୍ଦରେ କୌଣସି ଲିଙ୍ଗ ନିର୍ଦ୍ଧାରିତ ନାହିଁ। ଏହା ଏପରି ଏକ ଶବ୍ଦ ଯାହାକୁ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ବ୍ୟବହାର କରାଯାଏ। ଅନ୍ୟ ପକ୍ଷରେ ଏଥିସହ ପ୍ରାଚୀନ ଭାରତୀୟ ଗୁରୁ ଶିଷ୍ୟ ପରମ୍ପରା ଜଡ଼ିତ। ଗୁରୁକୂଳରେ ଶିକ୍ଷାଦାତାଙ୍କୁ କୁଳଗୁରୁ କୁହାଯାଇଥାଏ। ଏଣିକି ଜେଏନୟୁର ସମସ୍ତ ଅଧିକାରୀକ ନଥିପତ୍ର ଯଥା ସାର୍ଟିଫିକେଟ, ନିଯୁକ୍ତିପତ୍ର ଆଦିରେ କୁଳପତି ବଦଳରେ କୁଳଗୁରୁ ଲେଖାଯିବ। ଏହି ବ୍ୟବସ୍ଥା ଚଳିତ ବର୍ଷଠାରୁ ଲାଗୁ ହେବ ବୋଲି ବିଶ୍ଵବିଦ୍ୟାଳୟ ସୂତ୍ରରୁ ଜଣାପଡିଛି।