ଢାକାରେ ଦୁର୍ଗା ମନ୍ଦିର ଭଙ୍ଗା ଘଟଣାରେ ଭାରତ ତୀବ୍ର ପ୍ରତିକ୍ରିୟା
ନୂଆଦିଲ୍ଲୀ: ଢାକାରେ ଦୁର୍ଗା ମନ୍ଦିର ଭଙ୍ଗାଯିବା ଉପରେ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଏହା ସହ ବାଂଲାଦେଶର ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରକୁ ଏଥିପାଇଁ ଭାରତ ଦାୟୀ କରିଛି। ଏ ନେଇ ବୈଦେଶିକ ମନ୍ତ୍ରଣାଳୟ (MEA) ମୁଖପାତ୍ର ରଣଧୀର ଜୟସୱାଲ ନୂଆଦିଲ୍ଲୀରେ ସୂଚନା ଦେଇଛନ୍ତି ଯେ, ଉଗ୍ରବାଦୀମାନେ ଢାକାର ଖିଲଖେତରେ ଥିବା ଦୁର୍ଗା ମନ୍ଦିର ଭାଙ୍ଗିବା ପାଇଁ ଦାବି କରୁଥିଲେ। ମଧ୍ୟବର୍ତ୍ତୀକାଳୀନ ସରକାର ମନ୍ଦିରକୁ ସୁରକ୍ଷା ଯୋଗାଇବା ପରିବର୍ତ୍ତେ ଏହି ଘଟଣାଟିକୁ ଅବୈଧ ଭୂମି ବ୍ୟବହାର ମାମଲା ଭାବରେ ପ୍ରଦର୍ଶିତ କରିଥିଲେ ଏବଂ ଆଜି ମନ୍ଦିର ଧ୍ୱଂସ କରିବାକୁ ଅନୁମତି ଦେଇଥିଲେ ବୋଲି ଜୟସୱାଲ କହିଛନ୍ତି।
"ବାଂଲାଦେଶରେ ଏପରି ଘଟଣା ବାରମ୍ବାର ଘଟୁଥିବାରୁ ଆମେ ଦୁଃଖିତ। ମୁଁ ଏହା ଉପରେ ଗୁରୁତ୍ୱାରୋପ କରିବାକୁ ଚାହୁଁଛି ଯେ ହିନ୍ଦୁ, ସେମାନଙ୍କ ସମ୍ପତ୍ତି ଏବଂ ଧାର୍ମିକ ପ୍ରତିଷ୍ଠାନଗୁଡ଼ିକୁ ସୁରକ୍ଷା ଦେବା ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଦାୟିତ୍ୱ," ବୋଲି ଜୟସୱାଲ କହିଛନ୍ତି।
2024 ଅଗଷ୍ଟ ମାସରେ ହୋଇଥିବା ବିପ୍ଳବ ପରେ ହସିନା ଭାରତକୁ ପଳାଇବା ପରଠାରୁ ସମଗ୍ର ବାଂଲାଦେଶରେ ହିନ୍ଦୁ ମନ୍ଦିରଗୁଡ଼ିକ ଉପରେ ଆକ୍ରମଣ ବୃଦ୍ଧି ପାଇଛି। ଏହି ସପ୍ତାହର ଆରମ୍ଭରେ ବାଂଲାଦେଶର ଦିନାଜପୁର ଜିଲ୍ଲାରେ ଏକ ମହାସ୍ତ୍ରୀ ମନସା ଏବଂ ଦୁର୍ଗା ମନ୍ଦିର ଭଙ୍ଗାଯାଇଥିଲା।