ଅଭୂତପୂର୍ବ ଭାବେ ହ୍ରାସ ପାଉଛି ବିଶ୍ୱ ପ୍ରଜନନ ହାର
United Nations Population Fund (UNFPA)ର ଏକ ନୂତନ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ କୋଟି କୋଟି ଲୋକ ସେମାନଙ୍କ ଇଚ୍ଛା ଅନୁଯାୟୀ ସନ୍ତାନ ପାଇପାରୁନାହାଁନ୍ତି, ପିତାମାତାଙ୍କ ପାଇଁ ହେଉଥିବା ମହଙ୍ଗା ଖର୍ଚ୍ଚ ଏବଂ ଉପଯୁକ୍ତ ସାଥୀର ଅଭାବକୁ ଏହାର କିଛି କାରଣ ବୋଲି ଦର୍ଶାଯାଇଛି। UNFPA ୧୪ଟି ଦେଶର ୧୪,୦୦୦ ଲୋକଙ୍କ ଉପରେ ସେମାନଙ୍କର ପ୍ରଜନନ ଉଦ୍ଦେଶ୍ୟ ବିଷୟରେ ସର୍ଭେ କରିଥିଲା। ପ୍ରତି ପାଞ୍ଚ ଜଣରେ ଜଣେ କହିଛନ୍ତି ଯେ ସେମାନଙ୍କର ଇଚ୍ଛାକୃତ ସନ୍ତାନ ଜନ୍ମ ହୋଇନାହିଁ କିମ୍ବା ସେମାନେ ଆଶା କରନ୍ତି ନାହିଁ।
ଭାରତର ଜନସଂଖ୍ୟାରେ ମଧ୍ୟ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ସଂଯୁକ୍ତ ରାଷ୍ଟ୍ରର ନୂଆ ବିଶ୍ୱ ଜନସଂଖ୍ୟା ନୀତି (SWOP) ରିପୋର୍ଟ ୨୦୨୫ ଅନୁସାରେ, ଭାରତର ଯେତେ ଲୋକଙ୍କ ମୃତ୍ୟୁ ହେଉଛି, ସେତେ ଲୋକ ଜନ୍ମ ହେଉନାହାନ୍ତି। ଅନୁମାନ କରାଯାଉଛି ଯେ ୨୦୨୫ ଶେଷ ସୁଦ୍ଧା ଭାରତର ଜନସଂଖ୍ୟା ୧.୪୬ ବିଲିୟନ୍ରେ ପହଞ୍ଚିପାରେ, କିନ୍ତୁ ମୋଟ ପ୍ରଜନନ ହାର ଏବେ ୧.୯କୁ ଖସିଆସିଛି। ଜନସଂଖ୍ୟାକୁ ସ୍ଥିର ରଖିବା ପାଇଁ ଏହା ଅତି କମରେ ୨.୧ ହେବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ କେଉଁ ବୟସ ଗୋଷ୍ଠୀର ଜନସଂଖ୍ୟା ଅଧିକ କମୁଛନ୍ତି ତାହା ଜାଣିବା ମଧ୍ୟ ଜରୁରୀ।
ଭାରତରେ ଜନସଂଖ୍ୟା ବୃଦ୍ଧି ହାର କମୁଥିବାରୁ ଯୁବକ ଓ କର୍ମଜୀବୀ ଲୋକଙ୍କ ସଂଖ୍ୟା ମଧ୍ୟ କମୁଛି। ଯଦିଓ ଜନସଂଖ୍ୟା ବିସ୍ଫୋରଣ ଉପରେ ନିୟନ୍ତ୍ରଣ ଲାଗିଛି, କିନ୍ତୁ ଏହାର ଏକ ବିପଦଜନକ ପାର୍ଶ୍ୱ ହେଉଛି କର୍ମଜୀବୀ ବୟସର ଯୁବକଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଛି ଏବଂ ବୃଦ୍ଧଙ୍କ ସଂଖ୍ୟା ବଢ଼ୁଛି। ଯଦି ଏହି ପ୍ରବୃତ୍ତି ଜାରି ରହେ, ତେବେ ଆଗାମୀ ୨-୩ ବର୍ଷ ମଧ୍ୟରେ ଭାରତକୁ ବୃଦ୍ଧଙ୍କ ପାଇଁ ନୂଆ ନୀତି ପ୍ରଣୟନ କରିବାକୁ ପଡ଼ିବ। ଏହା ସହିତ କମୁଥିବା ଯୁବ ଜନସଂଖ୍ୟାର ପ୍ରଭାବ ଅର୍ଥନୈତିକ ଉତ୍ପାଦନ ଉପରେ ପଡ଼ିବ। ଏହା ଜାପାନ, ଚୀନ ଓ ଅନ୍ୟ କେତେକ ଦେଶରେ ଏବେ ଦେଖାଯାଉଥିବା ସ୍ଥିତି ସଦୃଶ।