ଦେଶରେ ୨୫୭ କୋଭିଡ୍ ଆକ୍ରାନ୍ତ ଚିହ୍ନଟ: ଚିନ୍ତାର କାରଣ ନାହିଁ

ଦେଶରେ ୨୫୭ କୋଭିଡ୍ ଆକ୍ରାନ୍ତ ଚିହ୍ନଟ: ଚିନ୍ତାର କାରଣ ନାହିଁ
ଦେଶରେ ୨୫୭ କୋଭିଡ୍ ଆକ୍ରାନ୍ତ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତି ଅନୁସାରେ ଭାରତରେ କରୋନା ମାମଲା ନିୟନ୍ତ୍ରଣରେ ଅଛି। ଗତ କିଛି ସପ୍ତାହ ମଧ୍ୟରେ ସିଙ୍ଗାପୁର ଏବଂ ହଂକଂରେ କୋଭିଡ-୧୯ ମାମଲା ବୃଦ୍ଧି ପାଇଛି। କିନ୍ତୁ ଅଧିକାଂଶ ମାମଲା ଅସ୍ୱାଭାବିକ ଗମ୍ଭୀରତା କିମ୍ବା ମୃତ୍ୟୁହାର ସହିତ ଜଡିତ ନୁହେଁ। ତଥାପି, ଭାରତ ସରକାର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟଏହି ବିଷୟଗୁଡ଼ିକ ପ୍ରତି ସଜାଗ ଅଛନ୍ତି। ତେବେ ମୁମ୍ବାଇର ଏକ ହସ୍ପିଟାଲ୍ରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସୂଚନା ଅନୁସାରେ ଉକ୍ତ ୨ ମୃତକ ଗୁରୁତର ରୋଗରେ ପୀଡ଼ିତ ଥିଲେ।
ଏ ନେଇ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର, ଜରୁରୀକାଳୀନ ଚିକିତ୍ସା ରିଲିଫ୍ ବିଭାଗ, ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠ, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ଏବଂ କେନ୍ଦ୍ର ସରକାରୀ ଡାକ୍ତରଖାନାଗୁଡ଼ିକର ବିଶେଷଜ୍ଞମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗତ କାଲି ସୁଦ୍ଧା ଭାରତରେ ୨୫୭ଟି ସକ୍ରିୟ ମାମଲା ଥିବା ସୂଚନା ଦିଆଯାଇଛି, ତେବେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ଜଣା ପଡିଛି। ଏଥିପାଇଁ ଭୟଭୀତ ନ ହେବା ପାଇଁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।